ଛୁଟି ନମିଳିବାରୁ ଆତ୍ମହତ୍ୟା!
ଭଞ୍ଜନଗର: ଛୁଟି ନ ମିଳିବାରୁ ଜଣେ ଅଗ୍ନିଶମ କର୍ମଚାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ଜଙ୍ଗଲରୁ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
କର୍ମଚାରୀ ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଦୟାନିଧି ମହନ୍ତ। ଦୟାନିଧି ଆସିକା ଅଗ୍ନିଶମ କେନ୍ଦ୍ରରେ ଡ୍ରାଇଭର ହାବିଲଦାର ଭାବେ କାର୍ୟ୍ୟରତ ଥିଲେ।
ଦୟାନିଧିଙ୍କ ମୃତଦେହ ନିକଟରେ ଏକ ବ୍ୟାଗ ପଡ଼ିଛି। ଏହି ବ୍ୟାଗରେ ଦୟାନିଧି ଲେଖିଥିବା ସୁଇସାଇଡ୍ ନୋଟ୍କୁ ଜବତ କରାଯାଇଛି। ସୁଇସାଇଡ୍ ନୋଟରେ ଦୟାନଧି ଲେଖିଛନ୍ତି,“ ‘ମାନବନୀୟ ପ୍ରଧ୍ୟାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଓ ମାନବନୀୟ ୟୁ.ପି ମୁଖ୍ୟମନ୍ତ୍ରୀ ଯୋଗୀ ଜୀ । ମୁଁ ଦୁଇ ବର୍ଷ ହେବ ମାନସିକ ଚାପରେ ଥିଲି। ଛୁଟି ପାଇଁ ବାରମ୍ବାର ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଛୁଟି ମଞ୍ଜୁର କରୁ ନଥିଲେ। ଘର ନିକଟରେ ଚାକିରି ପାଇଁ ଆବେଦନ କରିଥିଲି। ହେଲେ ଘରଠାରୁ ୫୦୦ କି.ମି ଦୂରରେ ମୋତେ ଚାକିରି ଦିଆଯାଇଥିଲା। ଯାହାଫଳରେ ମୁଁ ପରିବାର ଲୋକଙ୍କୁ ସମୟ ଦେଇପାରୁ ନଥିଲି। ଘରକୁ ଛୁଟିରେ ଯାଉନଥିବାରୁ ସ୍ତ୍ରୀ ମୋତେ ଛାଡ଼ି ପଳାଇଛି। ବାପାମା’ଙ୍କର ମୃତ୍ୟୁ ହୋଇଯାଇଛି। ଏହି ଚାକିରି କରି କି ଲାଭ?”ଗତକାଲି ରାତିରେ ବୁଢାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ଆଜି ସକାଳେ ବୁଢାକେନ୍ଦୁ ଜଙ୍ଗଲରେ ଏକ ଗଛରେ ଦୟାନିଧିଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଙ୍ଗପୁର ପୁଲିସ ଘଟଣାର ତଦନ୍ତ କରୁଛି।
Powered by Froala Editor