ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଯୁବକ ମୃତ
ବ୍ରହ୍ମପୁର: ଗଞ୍ଜାମ ଏସ୍ପି ଅଫିସ୍ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।
ମୃତ ଯୁବକଙ୍କ ନାଁ ବାଦଲ ସାହୁ। ତାଙ୍କ ଘର ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁରେ। ତେବେ ସେ କାହିଁକି ଏମିତି ଚରମ ପଦକ୍ଷେପ ନେଲେ, ତାହା ଜଣାପଡ଼ି ନାହିଁ। ସେ ଏସ୍ପିଙ୍କୁ ଭେଟି ନଥିଲେ କି ତାଙ୍କ ସମସ୍ୟା ବିଷୟରେ କହି ନଥିଲେ। ସେ ଘରେ କାହାକୁ ନ କହି ବାଇକ୍ରେ ଛତ୍ରପୁର ଆସିଥିଲେ। ସେଠାରେ ଅପରାହ୍ଣରେ ଏସ୍ପି ଅଫିସ୍ ସମ୍ମୁଖରେ ମୁଖ୍ୟ ରାସ୍ତାରେ ହଠାତ୍ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏସ୍ପି ଅଫିସ୍ର କିଛି କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ସେତେବେଳକୁ ତାଙ୍କ ଶରୀରର ସବୁ ଅଂଶ ପୋଡ଼ି ସାରିଥିଲା। ତାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor