ମୃଗସାର ଶିକାରୀଙ୍କ ଗୁଳିରେ ୩ ପୋଲିସ ସହିଦ

ମଧ୍ୟପ୍ରଦେଶର ଗୁନାରେ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ୩ ପୋଲିସ କର୍ମୀ । ସେମାନଙ୍କ ମଧ୍ୟରେ ଜଣେ ସବ୍ଇନ୍ସପେକ୍ଟର ଥିବା ବେଳେ ୨ ଜଣ କନଷ୍ଟେବଳ ଅଛନ୍ତି।
ସୂଚନାନୁସାରେ, ଗୁନାରେ ଥିବା କିଛି ଜଙ୍ଗଲରେ କୃଷ୍ଣସାର ମୃଗ ଦେଖାଯାଆନ୍ତି । ଶୁକ୍ରବାର ରାତିରେ କିଛି ଶିକାରୀ ଜଙ୍ଗରେ ଶିକାର କରିବାକୁ ଆସିଥିଲେ । ଏପରିକି ସେମାନଙ୍କ ହାତରେ ଏକ ମୃତ କୃଷ୍ଣସାର ମଧ୍ୟ ଥିଲା । ଖବର ପାଇ ପୋଲିସ ଚଢଉ କରିଥିଲା । ହେଲେ ପୂର୍ବରୁ ପ୍ରସ୍ତୁତ ଥିବା ଶିକାର ପୋଲିସ ଟିମ୍ ଉପରେ ଗୁଳିମାଡ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିମାଡ ହୋଇଥିଲା । ଏଥିରେ ୩ ଜଣ ପୋଲିସ ସହିଦ ହୋଇଛନ୍ତି । ପ୍ରାଣ ହରାଇଥିବା ପୋଲିସ କର୍ମୀ ହେଲେ ଏସଆଇ ରାଜକୁମାର ଜାଟବ, କନଷ୍ଟେବଳ ନୀରଜ ଭାର୍ଗବ, କନଷ୍ଟେବଳ ସନ୍ତରାମ । ଘଟଣାସ୍ଥଳରୁ ୪ଟି ହରିଣ ମୁଣ୍ଡ, ୨ଟି ମୁଣ୍ଡବିହୀନ ହରିଣ ଓ ଏକ ମୟୁରର ଶବ ଜବତ ହୋଇଛି। ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।
ଶୁକ୍ରବାର ବିଳମ୍ବିତ ରାତିରେ ଆରୋନ ପୁଲିସ୍ ଷ୍ଟେଶନ ସାଗା ବରଖେଡା ଗାଁରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ଏହାକୁ ନେଇ ବିପକ୍ଷ ସରକାରଙ୍କୁ ଘେରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ହାଇ ଆଲର୍ଟ ଇମରଜେନ୍ସିଂ ମିଟିଂ ଡାକିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିବାକୁ ଥିବା ଏହି ବୈଠକରେ ଗୃହ ମନ୍ତ୍ରୀ , ମୁଖ୍ୟ ସଚିବ, ଡିଜିପି, ଏଡିଜିଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ରହିବେ।
Powered by Froala Editor