ହସ୍ପିଟାଲରୁ ଉଦ୍ଧାର ହେଲା ଡାକ୍ତରଙ୍କ ମୃତଦେହ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର ହେଲା ସୁଶିଲ ସାହୁ ନାମକ ଡାକ୍ତରଙ୍କ ମୃତଦେହ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ସେ ନେଇ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ, ସୁଶିଲ ସାହୁ ଏକ ଘରୋଇ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ୟ୍ୟରତ ଥିଲେ। ଗତକାଲି ସେ ଡ୍ୟୁଟିରେ ଥିବା ବେଳେ କିଛି ସମୟ ପାଇଁ ରେଷ୍ଟ ରୁମ୍କୁ ଯାଇଥିଲେ। ହେଲେ ସେ ଚାମ୍ବରକୁ ନ ଫେରିବାରୁ ହସ୍ପିଟାଲ କର୍ମଚାରୀ ରେଷ୍ଟ ରୁମ୍କୁ ଯାଇ ଡାକ୍ତରଜଣକ ବେଡ୍ରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଡାକିବା ସତ୍ତ୍ୱେ ସେ ନ ଉଠିବାରୁ ଏନେଇ କର୍ମଚାରୀଜଣକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଡା. ସାହୁଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ ପୁଅର ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି । ଭରତପୁର ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିପରି ତାଙ୍କ ମୃତ୍ୟୁ ହୋଇଛି, ଏହା ଆତ୍ମହତ୍ୟାଜନିତ ମୃତ୍ୟୁ ନ ଆଉ କିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ଡାକ୍ତର ସୁଶିଲ ସାହୁ ମାତ୍ର ଅଳ୍ପ ଦିନ ପୂର୍ବେ ନିଜ ବୈବାହିକ ଜୀବନ ଆରମ୍ଭ କରିଥିବା ବେଳେ ହଠାତ୍ କ’ଣ ଘଟିଲା ଯେ ତାଙ୍କ ମୃତ୍ୟୁ ହେଲା ସେ ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନାଧିକାରୀ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଅଧିକ ସ୍ପଷ୍ଟ ହେବ ବୋଲି କହିଛି ପୁଲିସ୍ ।
Powered by Froala Editor