ପୁଅ-ବୋହୂ ଭୁଲିଗଲେ ମାନବିକତା, ବାପାଙ୍କୁ ପାର୍ସଲ
ସୋସିଆଲ ମିଡିଆରେ ଭ୍ୟୁ ଏବଂ ଲାଇକ୍ ପାଇଁ ଲୋକମାନେ ଏତେ ତଳକୁ ଖସିଯାଉଛନ୍ତି ତାହା ଭାବିବା ମୁସ୍କିଲ । କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।
ଜଣେ ପୁଅ ବୋହୂ ବୃଦ୍ଧ ବାପାଙ୍କୁ ଏକ ମାନବ ପାର୍ସଲରେ ଭର୍ତ୍ତି କରି ରିଲ୍ କରିବାକୁ ଚେଷ୍ଟା କରିଛନ୍ତି । ପୁଅ-ବୋହୂ ବଡ଼ ବାକ୍ସ ନେଇ କୋରିଅର୍ ଅଫିସରେ ପହଞ୍ଚିଥିଲା । ସନ୍ଦେହ ହେବାରୁ କର୍ମଚାରୀମାନେ ପ୍ୟାକେଜ୍ ବିଷୟରେ ପଚାରିଥିଲେ ଏବଂ ଏହାକୁ ଖୋଲି ଦେଖି ଚମକି ପଡ଼ିଥିଲେ । ବାକ୍ସ ଭିତରେ ଜଣେ ବୟସ୍କ ବ୍ୟକ୍ତି ଥିଲେ ଯିଏକି ପୁଅଙ୍କ ବାପା ଥିଲେ ।
ଯେତେବେଳେ ବାକ୍ସଟି ଖୋଲାଗଲା ବୃଦ୍ଧ ବ୍ୟକ୍ତିଙ୍କ ଅବସ୍ଥା ଖରାପ ହୋଇଯାଇଥିଲା । ସେ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ । କୋରିଅର କର୍ମଚାରୀମାନେ ପରିସ୍ଥିତିର ଗମ୍ଭୀରତାକୁ ଜାଣି ଏହାକୁ ନନେବାକୁ କହିଥିଲେ । ଏତିକିରେ ପରିବାର ସଦସ୍ୟମାନେ ଓଲଟା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲେ । ସେମାନେ ଏତେ ଦୂରରୁ ଆସିଛନ୍ତି, ସେମାନଙ୍କ ପାର୍ସଲ ଗ୍ରହଣ କରିବାକୁ ଦାବି କରିଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ପରିବାରକୁ ଥାନାକୁ ନେଇଯାଇଥିଲେ । ପୁଲିସ ସମସ୍ତଙ୍କ ବୟାନ ରେକର୍ଡ କରିଥିଲା । ପରେ, ପରିବାର ସଦସ୍ୟ କ୍ଷମା ପ୍ରାର୍ଥନା ଭିଡିଓ ଜାରି କରି ସେମାନଙ୍କର ଭୁଲ ସ୍ୱୀକାର କରିଥିଲେ । ସେମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଦାୟିତ୍ୱହୀନ ବୋଲି ସ୍ୱୀକାର କରିଥିଲେ ।
ତଦନ୍ତରୁ ଜଣାପଡିଲା ଯେ, ଜଣେ ମହିଳା, ତାଙ୍କ ସ୍ୱାମୀ, ଶାଶୂ ଏବଂ ଦିଅର ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ । ସେମାନେ ମହିଳାଙ୍କ ଶ୍ୱଶୁରଙ୍କୁ ପାର୍ସଲ ଭିତରେ ବନ୍ଦ କରି ଦେଇଥିଲେ । ପରିବାର ସଦସ୍ୟମାନେ ମାନବ ପ୍ୟାକେଜ୍ ପଠାଇବା ପଛରେ ଅଜବ ଯୁକ୍ତି ଦେଇଥିଲେ । ସେମାନେ କହିଥିଲେ, ରମ୍ଜାନ୍ ଏବଂ ଉଗାଡ଼ି ପର୍ବ ସମୟରେ ଭିଡ଼ ବିଷୟରେ ଏକ ରିଲ୍ ତିଆରି କରିବାକୁ ଚାହୁଁଥିଲେ । ପାର୍ବଣ ସମୟରେ ବସ୍ ଟିକେଟ୍ ମିଳିବା କଷ୍ଟକର ତେଣୁ ସେମାନେ କୋରିଅର ମାଧ୍ୟମରେ ବାପାଙ୍କୁ ପଠାଇବାକୁ ଚେଷ୍ଟା ଚଳାଇଥିଲେ ।
Powered by Froala Editor