ସ୍କୁଲ୍ରୁ ଫେରିବା ବେଳେ ଛୋଟ ଝିଅକୁ ଏସିଡ୍ ମାଡ
ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲ୍ଲାର ବଡ଼ଗାଓଁ ପାନଗାଁରେ ଘଟିଛି ଅଭାବନୀୟ କାଣ୍ଡ । ଜଣେ ଛଅ ବର୍ଷ ଶିଶୁକନ୍ୟା ଉପରେ ଏସିଡ୍ ମାଡ଼ ଭଳି ଅମାନବୀୟ ଘଟଣା ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ଶିଶୁଟି ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଜଣେ ବ୍ୟକ୍ତି ବାଇକ୍ରେ ଆସି ବାଟରେ ଅଟକାଇବା ପରେ ଏସିଡ୍ ପକାଇ ଦେଇଥିଲେ । ଶିଶୁଟି ଭୟରେ ସ୍କୁଲକୁ ଦୌଡ଼ି ପହଞ୍ଚିବା ପରେ ଶିକ୍ଷକମାନେ ପ୍ରାଥମିକ ଉପଚାର ପରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏସିଡ୍ ମାଡ଼ କରି ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ପୁଲିସ ଅଭିଯୁୂକ୍ତକୁ ଖୋଜୁଥିବାବେଳେ ଘଟଣାକୁ ନିନ୍ଦା କରାଯାଇଛି ।
ସଙ୍ଗମନେର୍ ପୁଲିସ ଥାନାରେ ଅଜଣା ବ୍ୟକ୍ତିଙ୍କ ନାଁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତର ପରିଚୟ ପାଇବାକୁ ପୁଲିସ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ତେବେ ଶିଶୁଟିର ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । କିନ୍ତୁ ଏଭଳି ଘଟଣାକୁ ନେଇ ରାଜନୈତିକ ଦଳ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ।
Powered by Froala Editor