ପ୍ରେମିକ ଚାପୁଡ଼ାରେ ବେହୋସ ହେଲେ ପ୍ରେମିକା
ଭୁବନେଶ୍ୱର: ପ୍ରେମିକାକୁ ଚାପୁଡ଼ା ମାରି ବେହୋସ କରିଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ପ୍ରେମିକ ସୁନୀଲ ସେଠୀଙ୍କୁ ଗିରଫ କରିଛି । ସୁନୀଲଙ୍କ ଘର କେନ୍ଦ୍ରାପଡ଼ା ନିକିରେଇ ଅଞ୍ଚଳରେ । ସେ ମଞ୍ଚେଶ୍ୱର ଚକେଇସିଆଣିରେ ରହୁଥିଲେ ।
ପୁଲିସ ସୂଚନା ଅନୁଯାୟୀ, ସୁନୀଲ ଚକେଇସିଆଣିରେ ରହି ଏକ ଘରୋଇ କଂପାନୀରେ କାମ କରୁଥିଲେ । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି । ସୋସିଆଲ ମିଡ଼ିଆରୁ ସୁନୀଲଙ୍କର ପ୍ରିୟଙ୍କା (୨୬) ନାମ୍ନୀ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପ୍ରିୟଙ୍କା ମଧ୍ୟ ଏକ ଘରୋଇ କଂପାନୀରେ କାମ କରୁଥିଲେ । ଗୁରୁଦ୍ୱାର ନିକଟରେ ଥିବା ଏକ ଲେଡ଼ିଜ ହଷ୍ଟେଲରେ ରହୁଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ହୋଇଥିଲା । ତେବେ ସୁନୀଲ ବିବାହିତ ବୋଲି ଜାଣିବା ପରେ ପ୍ରିୟଙ୍କା ଆଉ ତାଙ୍କ ସହ ସଂପର୍କ ରଖି ନଥିଲେ । ବାରମ୍ବାର ସୁନୀଲ ଫୋନ କଲେ ମଧ୍ୟ ପ୍ରିୟଙ୍କା ଉଠାଉ ନଥିଲେ । ଗତକାଲି ରାତିରେ ସୁନୀଲ ଲେଡ଼ିଜ ହଷ୍ଟେଲ ନିକଟରେ ପହଞ୍ଚି ପ୍ରିୟଙ୍କାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପ୍ରିୟଙ୍କା ହଷ୍ଟେଲରୁ ବାହାରି ପ୍ରତିବାଦ କରିବାରୁ ସୁନୀଲ ତାଙ୍କୁ ୩ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ ପ୍ରିୟଙ୍କା ବେହୋସ ହୋଇ ପଡ଼ିଥିଲେ । ଆଖପାଖ ଲୋକେ ଉଠି ଆସିବାରୁ ସୁନୀଲ ସେଠାରୁ ପଳାଇଥିଲା ।
ଖବରପାଇ ଖାରବେଳନଗର ଥାନା ପୁଲିସ ପହଞ୍ଚି ପ୍ରିୟଙ୍କାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ରାତାରାତି ପୁଲିସ ସୁନୀଲଙ୍କୁ ଉଠାଇ ଆଣିଥିଲା । ଆଜି ପ୍ରିୟଙ୍କାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରିବା ସହ ସୁନୀଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
Powered by Froala Editor