ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଆଇନର ପରିସର ମଧ୍ୟରେ ହେଉଛି: ପିନାକୀ
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଉପରେ ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ଏଏସ୍ଆଇ ସହିତ ସମନ୍ବୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ୟ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ ବୋଲି କହୁଛନ୍ତି ? ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏଏସ୍ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ପ୍ରକଳ୍ପ ବିରୋଧୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।
ପିନାକୀ କହିଛନ୍ତି ଯେ, ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନର ପରିସରରେ ରହି କରୁଛନ୍ତି । ଶୌଚାଳୟ, ଡ୍ରେନ୍ ଏବଂ ବୈଦ୍ୟୁତିକ ନିର୍ମାଣ ଆଇନ ପରିସରରେ ଆସୁନାହିଁ । ଏଣୁ ଏହିସବୁ କାମ କରାଯାଇପାରିବ ବୋଲି ନିଜେ ଏଏସ୍ଆଇ ତାଙ୍କ ସତ୍ୟପାଠରେ କହିଛନ୍ତି । ଏହାଛଡ଼ା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନ୍ଓସି ଦେଇଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ ହାଇକୋର୍ଟରେ କହିଛନ୍ତି ।ପିନାକୀ ଆହୁରି ମଧ୍ୟ କହିଛନ୍ତି ଯେ, "ଏଏସ୍ଆଇ ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡଭୋକେଟ୍ ଜେନେରାଲ ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି । ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ବରଂ ରାଜ୍ୟ ସରକାର ଓ ଏଏସ୍ଆଇ ପରସ୍ପର ଭିତରେ ସମନ୍ବୟ ରଖି କାମ ଜାରି ରଖିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।"
ପୁରୀର ଲୋକ ଏହି ପରିକ୍ରମା ପ୍ରକଳ୍ପ କାମ ହେଉ ବୋଲି ଚାହୁଁଛନ୍ତି । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ପର୍ଶକାତର ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଉପଲବ୍ଧି କଲା ପରେ ଲୋକଙ୍କ ସୁବିଧା ଲାଗି ଏନ୍ଏମ୍ଏର ଏନ୍ଓସି ନେଇ ଶୌଚାଳୟ ଆଦି ନିର୍ମାଣ କରୁଛନ୍ତି । ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପ କାର୍ୟ୍ୟର ଯୁଗ୍ମ ଅନୁଧ୍ୟାନ ପରେ ଏନେଇ ଏଏସ୍ଆଇ ସତ୍ୟପାଠରେ ଯେଉଁସବୁ ବିଷୟ ଉଲ୍ଲେଖ କରିଛି, ହାଇକୋର୍ଟ ଏହାକୁ ଅସ୍ପଷ୍ଟ ବୋଲି ଦର୍ଶାଇଛନ୍ତି । ଏହି ନିର୍ମାଣ କାର୍ୟ୍ୟ ମନ୍ଦିର ଉପରେ କ୍ଷତି ପହଞ୍ଚାଇବ କି ନାହିଁ ତାହା ଉପରେ ଅଧିକ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟ ଦେବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହାଛଡ଼ା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ସମୟ ଦେବା ସହ କାମ ଜାରି ରଖିବାକୁ କହିଛନ୍ତି । ହାଇକୋର୍ଟ ସ୍ପଷ୍ଟ ଭାବେ ଏଭଳି ନିର୍ଦ୍ଦେଶ ଦେବା ପରେ ପ୍ରକଳ୍ପ କାମ ବନ୍ଦ କରିବାକୁ କାହାର ସତ୍ସାହାସ ହେଉଛି ବୋଲି ପିନାକୀ ପ୍ରଶ୍ନ କରିଛନ୍ତି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଗଣମାଧ୍ୟମରେ ଏନେଇ ମତ ରଖିବା ପରେ ପିନାକୀ ତାଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି । ଯେଉଁମାନେ ପାର୍ଲାମେଣ୍ଟ ଯିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆଇନ୍ର ଜ୍ଞାନ ହାସଲ କରନ୍ତୁ ବୋଲି ସମ୍ବିତଙ୍କୁ କଟାକ୍ଷ କରି କହିଛନ୍ତି ପିନାକୀ ।
Powered by Froala Editor