ଆଜି ସନ୍ଧ୍ୟାରେ ଦିଗ ବଦଳାଇବ ‘ଅସାନି’
ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅସାନି’ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି। ଏହା ଏବେ ଧିରେ ଧିରେ ଦୁର୍ବଳ ହେବ । ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ଏନେଇ ସେ କହିଛନ୍ତି, ଆଜି ସନ୍ଧ୍ୟାରେ ‘ଅସାନି’ ଆନ୍ଧ୍ର ଉପକୂଳ ନିକଟ ହୋଇ ଦିଗ ବଦଳାଇବ । ଏହା ସହ ଆସନ୍ତାକାଲିଠୁ ଓଡ଼ିଶା ଉପକୂଳ ସମାନ୍ତରାଳରେ ଗତି କରିବ । ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କିମି ପବନ ବହିପାରେ । ଉପକୂଳ ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ଆସନ୍ତା ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ମଧ୍ୟମ ଓ ସର୍ବାଧିକ ୭ରୁ ୧୧ ସେମି ବର୍ଷା ହୋଇପାରେ । ‘ଅସାନି’ ପାଇଁ ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି।
ଏଥିସହ ୧୨ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ନିମନ୍ତେ ମତ୍ସ୍ୟଜୀବୀଙ୍କ ଲାଗି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି । କେହି ନିର୍ଦ୍ଦେଶ ଅମାନ୍ୟ କଲେ ବିପର୍ୟ୍ୟୟ ଆଇନରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ବାରଣ ସତ୍ତ୍ୱେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉଥିବାରୁ ଏପରି ଚେତାବନୀ ଦେଇଛନ୍ତି ଏସଆରସି।
Powered by Froala Editor