ବିରିୟାନୀ ସହ ୧.୪୫ ଲକ୍ଷର ଗହଣା ଖାଇଦେଲେ ଯୁବକ
ହସଖୁସିରେ ସରିଛି ଇଦ୍ । ସମସ୍ତେ ସମସ୍ତଙ୍କୁ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରିଛନ୍ତି । କିନ୍ତୁ ଚେନ୍ନାଇରେ ଭୋଜିର ଆସର ଭିତରେ ଜଣ ମହିଳାଙ୍କ ଲକ୍ଷାଧିକ ଗହଣା ଚୋରି ହୋଇଗଲା । ତଦନ୍ତ ପରେ ଯାହା ସାମ୍ନାକୁ ଆସିଲା ତାହା ଆଶ୍ଚର୍ଯ୍ୟଜନକ ।
ଗହଣା ସବୁ ମହିଳାଙ୍କର ଜଣେ ବନ୍ଧୁଙ୍କ ପେଟରେ ଅଛି ବୋଲି ଜଣାପଡିଛି । ମହିଳା ଜଣକ ଗତ ୩ ତାରିଖ ଇଦ୍ ଅବସରରେ ନିଜର ଜଣେ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ । ଦୁହେଁ ତାଙ୍କ ଘରକୁ ଆସିଲେ ଏବଂ ବହୁତ ମଜାମସ୍ତି କଲେ । ଯେତେବେଳେ ସମସ୍ତେ ଖାଇବାକୁ ବସିଲେ, ବାନ୍ଧବୀଙ୍କର ୩୨ ବର୍ଷୀୟ ପୁରୁଷ ବନ୍ଧୁ ୧.୪୫ ଲକ୍ଷ ଟଙ୍କାର ଗହଣାକୁ ବିରୟାନି ସହିତ ଗିଳିଦେଲେ । ସମସ୍ତେ ଘରୁ ଯିବାପରେ ମହିଳା ଜାଣିବାକୁ ପାଇଲେ ଯେ ତାଙ୍କ ଆଲମାରିରୁ ୧.୪୫ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଯାଇଛି । ବାନ୍ଧବୀଙ୍କର ପୁରୁଷ ବନ୍ଧୁଙ୍କ ଉପରେ ତାଙ୍କର ସନ୍ଦେହ ହେଲା । ସେ ଭିରୁଗାମ୍ବାକ୍କମ୍ ପୁଲିସ ଷ୍ଟେସନ୍ରେ ମାମଲା ରୁଜୁ କଲେ । ପୁଲିସ ଉକ୍ତ ବ୍ୟକ୍ତିଙ୍କ ପେଟ ସ୍କାନ୍ କରାଇଲା । ଗହଣା ତାଙ୍କ ପେଟ ଭିତରେ ମିଳିଲା । ପୁଲିସର ସୂଚନା ଅନୁସାରେ, ବ୍ୟକ୍ତି ବିରୟାନି ଖାଇବା ସମୟରେ ମଦ ନିଶାରେ ଥିଲେ । ଏହି ସମୟରେ ବିରୟାନି ସହିତ ଗହଣାକୁ ମଧ୍ୟ ଗିଳିଦେଲେ । ମହିଳା ଜଣକ ପୂରା ମାମଲା ଜାଣିବା ପରେ ନିଜ ବାନ୍ଧବୀଙ୍କ ପାଇଁ ମାମଲାକୁ ରଫାଦଫା କରି ଦେଇଛନ୍ତି । ତାଙ୍କ ପୁରୁଷ ବନ୍ଧୁଙ୍କୁ ପୁଲିସ ଲାକ୍ସୋଟିଭ୍ ଦେଇଛି । ଯାହାକି ଗହଣା ସବୁ ମଳ ଦ୍ୱାରା ବାହାରିଆସିବ ।
Powered by Froala Editor