ଦେଶରେ ଚିନ୍ତା ବଢାଇଛି ମହାମାରୀ, ଦିନକରେ ୩୫୪୫ ନୂଆ ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇଛି ମହାମାରୀ । ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଦିନେ କମିଲେ ପୁଣି ଆଉ ଦିନେ ବଢୁଛି । ପ୍ରତିଦିନ ୩ ହଜାରେ ଉପରେ ରହୁଛି ପଜିଟିଭଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୩,୫୪୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁସଂଖ୍ୟା କମ୍ ରହିଛି । ଦିନକରେ ଦେଶରେ ମାତ୍ର ୨୭ ଜଣ କୋରୋନା ସଂକ୍ରମିତ ଆଖି ବୁଜିଛନ୍ତି ଏବଂ ୩,୫୪୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସଂକ୍ରମଣ ବଢିବା ସହ ମୋଟ ସକ୍ରିୟ ମାମଲା ୧୯,୬୮୮କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଏଯାବତ୍ ସମୁଦାୟ ୪,୨୫,୫୧,୨୪୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୪,୦୦୨ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୮୯ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୬,୫୯,୮୪୩ ଡୋଜ୍ ଦିଆଯାଇଛି । ଦେଶରେ ପୁଣି ପଜିଟିଭ ମାମଲା ବଢୁଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ଗାଇଡଲାଇନ ମାନି ମାସ୍କ ବ୍ୟବହାର କରିବାକୁ ଓ ଭିଡରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି ।
Powered by Froala Editor