କେବଳ ବସ୍ତୁ ନୁହେଁ, ବାୟୁମଣ୍ଡଳରେ ବି ଘୂରି ବୁଲୁଛି କରୋନା ଭୂତାଣୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ଏବେ ବି ସମସ୍ତଙ୍କ ମନରେ ରହିଛି ଡର । କେତେବେଳେ ସଂକ୍ରମଣ କମୁଛି ତ ପୁଣି ଆଉ କେତେବେଳେ ବ୍ୟାପୁଛି । ବୈଜ୍ଞାନିକ ଓ ଗବେଷକଙ୍କ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଏହାର ମୂଳପୋଛ ହୋଇ ପାରୁନି । ଯାହାକୁ ନେଇ ଏବେ ସଭିଏଁ ଚିନ୍ତିତ । କେବେ ଏହି ଭୂତାଣୁ ଧରାପୃଷ୍ଠରୁ ସମୂଳ ବିନାଶ ହେବ ତାହା ଏ ପର୍ଯ୍ୟନ୍ତ କେହି ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି । ବିଭିନ୍ନ ଦେଶର ବୈଜ୍ଞନିକମାନେ କୋଭିଡ୍କୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଇତିମଧ୍ୟରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡ଼ିଛି ଯେ କରୋନା ଭୂତାଣୁ କେବଳ ବସ୍ତୁ ନୁହେଁ, ବାୟୁମଣ୍ଡଳରେ ବି ଘୂରି ବୁଲିଛି । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିବା ପରେ ପୁଣି ଚିନ୍ତା ବଢ଼ି ଯାଇଛି ।
ହାଇଦ୍ରାବାଦସ୍ଥିତ CSIR-CCMB ଓ ଚଣ୍ଡିଗଡ଼ସ୍ଥିତ CSIR-IMTech ପକ୍ଷରୁ କୋଭିଡ୍କୁ ନେଇ ଏକ ଗବେଷଣା କରାଯାଇଥିଲା । ବୈଜ୍ଞାନିକମାନେ ବିଭିନ୍ନ ହସ୍ପିଟାଲ୍, ବନ୍ଦ ଥିବା କୋଠରୀ ଓ ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିବା ଘରୁ ବାୟୁ ନମୁନା ସଂଗ୍ରହ କରିଥିଲେ । ସବୁଠି କୋଭିଡ୍ ଭୂତାଣୁ ମିଳିଛି । କେବଳ ସେତିକି ନୁହେଁ, ସେଠାରେ ଥିବା ବସ୍ତୁରୁ ମଧ୍ୟ ଏହି ମାରାତ୍ମକ ଭୂତାଣୁକୁ ଠାବ କରାଯାଇଥିବା ଜଣାପଡ଼ିଛି । ଗବେଷଣାର ତଥ୍ୟ ଏରୋସଲ ସାଇନ୍ସ ମାଗାଜିନ୍ରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, କୋଭିଡ୍ ସଂକ୍ରମଣ ପରେ ଯେଉଁଠି ଲୋକମାନେ ମାସ୍କ ବ୍ୟବହାର କରୁଥିଲେ ସେଠାରେ ଅପେକ୍ଷାକୃତ ଏହା କମ୍ ବ୍ୟାପିଛି । ତେଣୁ ସର୍ବଦା ମାସ୍କ ବ୍ୟବହାର କରିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।
Powered by Froala Editor