ହିଂସାକୁ ଉସୁକାଉଛନ୍ତି ରାଜ ଠାକରେ, ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ଏକ ରାଲିରେ ହିଂସା ଉକ୍ସାଇଲା ଭଳି ଭାଷଣ ଦେବା ଅଭିଯୋଗରେ ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକ୍ରେଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ୧୪ ବର୍ଷ ତଳର ଗୋଟିଏ ମାମଲାରେ ତାଙ୍କ ନାଁରେ ଏପରି ୱାରେଣ୍ଟ ଜାରି କରାଯାଇଛି। ସରକାରୀ ନିୟମ ଅନୁଯାୟୀ, ୨୦୧୨ ପୂର୍ବରୁ ଥିବା ସମସ୍ତ ରାଜନୀତିକ ମାମଲା ପ୍ରତ୍ୟାହାର କରାଯାଇଛି। ହେଲେ ରାଜ ଠାକରେ ଏବେ ଲାଉଡ ସ୍ପିକର କଥା ଉଠାଇବାରୁ ତାଙ୍କ ନାଁରେ ୨୦୦୮ରେ ରୁଜୁ ହୋଇଥିବା ମାମଲାରେ ୱାରେଣ୍ଟ ଜାରି କରାଯାଇଛି। ତେବେ ନବ ନିର୍ମାଣ ସେନା ପକ୍ଷରୁ ଏପରି ୱାରେଣ୍ଟକୁ ବିରୋଧ କରାଯାଇଛି।
ସଙ୍ଗଲି ଜିଲ୍ଲାର ଶିରାଲା ଠାରେ ଥିବା ଜୁଡିସିଆଲ ମାଜିଷ୍ଟ୍ରେଟ ଏପ୍ରିଲ ୬ରେ ୱାରେଣ୍ଟ ଜାରି କରି କହିଛନ୍ତି, ମୁମ୍ବାଇ ପୁଲିସ କମିଶନର ତୁରନ୍ତ ରାଜ ଠାକରେଙ୍କୁ ଗିରଫ କରି କୋର୍ଟରେ ହାଜର କରନ୍ତୁ। ମୁମ୍ବାଇ ପୁଲିସ୍ କମିଶନରଙ୍କ ଜରିଆରେ କୋର୍ଟ ରାଜ ଠାକରେ ଓ ଅନ୍ୟ ଜଣେ ନବ ନିର୍ମାଣ ସେନାର ନେତା ଶିରିଶ ପାରକରଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି। ସେମାନେ ନିଜ ତରଫରୁ କୋର୍ଟରେ ହାଜର ନ ହେବାରୁ ଏପରି ପଦକ୍ଷେପ ନିଆଯାଇଛି। ଜୁନ୍ ୮ ପୂର୍ବରୁ ୱାରେଣ୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ କୋର୍ଟ କହିଛନ୍ତି।
ସୂଚନା ଯେ, ରବିବାର ଔରଙ୍ଗାବାଦରେ ଏକ ରାଲିରେ ରାଜ ଠାକ୍ରେ ହିଂସା ଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗ ହୋଇଛି। ରାଲିର ଆୟୋଜକଙ୍କ ନାଁରେ ବି ଥାନାରେ ମାମଲା ହୋଇଛି। ରବିବାର ରାଲିକୁ ସମ୍ବୋଧନ କରି ଆଉଥରେ ଡେଡ୍ଲାଇନ୍ ବିଷୟରେ ସରକାରଙ୍କୁ ସେ ଚେତାଇ ଦେଇଥିଲେ। ସେ କହିଥିଲେ ” ମେ ୩ ତାରିଖରେ ଇଦ୍। ମୁଁ ପର୍ବପର୍ବାଣୀକୁ ନଷ୍ଟ କରିବାକୁ ଚାହୁଁ ନାହିଁ। କିନ୍ତୁ ମେ ୪ ତାରିଖ ପରେ ଆମେ କିଛି ଶୁଣିବୁ ନାହିଁ। ଯଦି ଆମର ଦାବି ଶୁଣାଯିବ ନାହିଁ ତେବେ ଆମ ଦୁଇଗୁଣା ଅଧିକ ସାଉଣ୍ଡ ଦେଇ ହନୁମାନ ଚାଳିଶା ପଢ଼ିବୁ। ଯଦି ତୁମେ(ମହାରାଷ୍ଟ୍ର ସରକାର) ଆମ ଅନୁରୋଧ ବୁଝିପାରୁନ, ତେବେ ଆମେ ଆମ ହିସାବରେ କାମ କରିବୁ। ମେ ୪ ତାରିଖରେ ମୁଁ ଚୁପ୍ ହୋଇ ବସିପାରିବି ନାହିଁ। ଯଦି ସେ ପର୍ଯ୍ୟନ୍ତ ଲାଉଡ୍ସ୍ପିକର ହଟାଯିବ ନାହିଁ। ଆମେ ତୁମକୁ ମହାରାଷ୍ଟ୍ରର ଶକ୍ତି ଦେଖାଦେଇଦେବୁ।”
Powered by Froala Editor