ଥମୁନି ଯୋଧପୁର ଉତ୍ତେଜନା, ଲାଗିଲା କର୍ଫ୍ୟୁ
ଯୋଧପୁରରେ ଉତ୍ତେଜନା ଥମିନଥିବାରୁ ସେଠାରେ କର୍ଫ୍ୟୁ ଲଗାଯାଇଛି । ଯୋଧପୁର ଜଲୋରି ଗେଟ୍ ଅଞ୍ଚଳରେ ଇଦ୍ ନମାଜ ପଢ଼ା ସରିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ହିଂସା ବେଳେ ପୋଲିସ ଉପରକୁ ଟେକା ପଥର ମାଡ଼ କରାଯାଇଥିବା ବେଳେ ଅନେକ ଗାଡ଼ି ଭାଙ୍ଗି ଦିଆଯାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ହିଂସା ଘଟିଥିବା ସ୍ଥାନ ଜଲୋରି ଗେଟ୍କୁ ସଂଯୋଗ ହୋଇଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଛି।
ଗତକାଲି ଇଦ୍ ପୂର୍ବରୁ ଯୋଧପୁରର ଜଲୋରି ଗେଟ୍ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ଲାଉଡସ୍ପିକର ଓ ପତାକା ଉଡାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ପୁଲିସ ସ୍ଥିତିକୁ ଆୟତ୍ତ କରିବାକୁ ଯାଇ ମୃଦୁ ଲାଠ ଚାର୍ଜ କରିଥିଲା। ଏହାପରେ ବିକ୍ଷୋଭକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ କରିଥିଲେ। ଆଜି ମଧ୍ୟ ଏହି ସଂଘର୍ଷ ଶାନ୍ତ ପଡିନଥିଲା। ପୁଲିସ ଉପରୁ ପଥର ମାଡ ହୋଇଥିଲା। ଏଥିରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ଗତକାଲି ରାତି ହିଂସା ପରେ ସହର ଓ ପୁରା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା । ଆଜି ରାତି ୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିବ ଓ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି । ଅନ୍ୟପକ୍ଷରେ ଆଇନଶୃଙ୍ଖଳା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
Powered by Froala Editor