୨ରୁ ସକାଳୁଆ ସ୍କୁଲ୍, ୬ଟାରୁ ୯ଟା ଯାଏ ପାଠପଢ଼ା

ଆସନ୍ତା ୨ ତାରିଖରୁ ସକାଳୁଆ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଥିସହ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ, ବୋର୍ଡ ଓ ପରିଷଦ ପରୀକ୍ଷା ଜାରି ରହିବ ।
ପ୍ରବଳ ଖରା ପାଇଁ ସରକାର ବିଦ୍ୟାଳୟକୁ ଏପ୍ରିଲ୍ ୩୦ ତାରିଖ ଯାଏ ଛୁଟି ଘୋଷଣା କରିଥିଲେ । ମେ ପହିଲାରୁ କାଳବୈଶାଖୀ ପ୍ରଭାବରେ ତାତି କମିବ । ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ ବିଦ୍ୟାଳୟରେ ପୁଣି ପାଠପଢ଼ା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ରବିବାର ଅଛି। ତେଣୁ ସ୍କୁଲ୍ ଗୁଡ଼ିକ ଛୁଟି ରହିବ। ୨ ତାରିଖରୁ ସକାଳ ୬ଟାରୁ ସ୍କୁଲ୍ ହେବ ବୋଲି ଆଜି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।
ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ଓସେପା ପକ୍ଷରୁ ପ୍ରସ୍ତୁତ ଲର୍ଣ୍ଣିଂ ରିକଭରି ପ୍ଲାନ୍ (ଏଲ୍ଆର୍ପି)କୁ ଗ୍ରୀଷ୍ମ ଛୁଟି ମଧ୍ୟରେ କରାଯିବ। ଏହା ସରକାରୀ ଓ ସରକାରୀ ଏଡେଡ୍ ସ୍କୁଲ୍ ଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ଯେଉଁ ଛାତ୍ରଛାତ୍ରୀମାନେ ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନୀତ ହୋଇଛନ୍ତି, ସେମାନେ ଏହି ପ୍ଲାନ୍ ଭିତରେ ଯିବେ। ସେହିଭଳି ନୂଆ ଆଡ୍ମିଶନ ନେଇଥିବା ଛାତ୍ରଛାତ୍ରୀ ବି ଏଥିରୁ ଉପକୃତ ହେବେ। ଯେଉଁ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀକୁ ଉନ୍ନୀତ ହୋଇଥିବେ, ସେମାନେ ବି ଏଏଆର୍ପି ବ୍ୟବସ୍ଥାରେ ଉପକୃତ ହୋଇପାରିବେ। କରୋନା ଯୋଗୁ ୨ ବର୍ଷ ଧରି ସ୍କୁଲ୍ ଗୁଡ଼ିକ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏଥିରୁ ପିଲାମାନେ ଯେଉଁ କ୍ଷତି ସହିଛନ୍ତି ତାକୁ ପୂରଣ କରିବାକୁ ଓସେପା ପକ୍ଷରୁ ଏଲ୍ଆର୍ପି ପ୍ରସ୍ତୁତ କରାଯାଇଛି।
Powered by Froala Editor