ଚାକିରୀ ହରାଇଲେ ବି ୩୨୧ କୋଟି ପାଇବେ ଟ୍ୱିଟର ସିଇଓ
ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ଟ୍ୱିଟର ବିକ୍ରି ହୋଇଯାଇଛି । ଏହାକୁ କିଣିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ । ୪୪ ଶହ କୋଟି ଡଲାରରେ ସେ ଟ୍ୱିଟରକୁ କିଣିଛନ୍ତି । ତେବେ ସେ ଟ୍ୱିଟର କିଣିବା ପରେ ଭାରତୀୟ ବଂଶୋଦ୍ଭବ ତଥା ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କ ଚାକିରୀ ଚାଲିଯିବ ବୋଲି ଚର୍ଚ୍ଚା ହେଉଛି । ଏମିତିକି ପରାଗ ମଧ୍ୟ ଟ୍ୱିଟରର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି ବୋଲି ମତ ଦେଇଛନ୍ତି । ଅପରପକ୍ଷରେ ଟ୍ୱିଟରର ପୁରୁଣା କର୍ମଚାରୀମାନଙ୍କୁ ବଦଳାଇବା ପାଇଁ ମସ୍କ ସୂଚନା ଦେଇସାରିଛନ୍ତି ।
ପରାଗଙ୍କ ଚାକିରୀ ଗଲେବି ସେ ମୋଟା ରକମର ଅର୍ଥ ପାଇବେ । ଯଦି ତାଙ୍କୁ ଆସନ୍ତା ୧ ବର୍ଷ ମଧ୍ୟରେ ଚାକିରୀରୁ ବରଖାସ୍ତ କରାଯାଏ ତେବେ ସେ ୪.୨ କୋଟି ଡଲାର ଅର୍ଥାତ ୩୨୧ କୋଟି ଟଙ୍କା ପାଇବେ । ସେ ଗତ ପାଂଚ ମାସ ଧରି ଟ୍ୱିଟରର ସିଇଓ ଥିଲେ । ଗତବର୍ଷ ନଭେମ୍ବରରେ ସେ ଦାୟିତ୍ୱ ନେଇଥିଲେ । ପରାଗ ଏବେ ଯେତିକି ଦରମା ପାଉଛନ୍ତି ଓ ତାଙ୍କର ଯେତିକି ଇକ୍ୱିଟି ଆୱାଡର଼୍ ରହିଛି ସେଥିରୁ ସେ ଏଭଳି ମୋଟା ରକମର ଅର୍ଥ ପାଇବେ ।
ଟ୍ୱିଟରକୁ କିଣି ମସ୍କ ଏକ ରେକଡର଼୍ ସୃଷ୍ଟି କରିଛନ୍ତି । ଟେକ୍ନୋଲୋଜି କ୍ଷେତ୍ରରେ ଏହା ବିଶ୍ୱର ସବୁଠାରୁ ବଡ଼ ଡିଲ ବୋଲି କୁହାଯାଉଛି । ସେୟାର ମୂଲ୍ୟ ୫୪.୨୦ ଡଲାର ହିସାବରେ ସେ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି । ଏଥିପାଇଁ ତାଙ୍କୁ ମୋଟ ଉପରେ ୪୪ ବିଲିୟନ ଡଲାର ଦେବାକୁ ପଡ଼ିବ । ତେବେ ଟ୍ୱିଟର ଆଗକୁ କିଭଳି ଯାତ୍ରା କରିବ ସେନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି ।
Powered by Froala Editor