ଅଫିସ୍ ପାଇଖାନାଠୁ ଛୋଟ, କିନ୍ତୁ ବାହାରିଲା ନଗଦ ୧୦ କୋଟି ସହ ରୂପା ଇଟା
ବାର୍ଷିକ ୧୭୬୪ କୋଟି ଟଙ୍କାର ବ୍ୟବସାୟ କରୁଥିବା ଗୋଟିଏ କମ୍ପାନୀର ଅଫିସରୁ ମହାରାଷ୍ଟ୍ର ଜିଏସ୍ଟି ବିଭାଗ ନଗଦ ୧୦ କୋଟି ଟଙ୍କା ଓ ରୁପା ଇଟା ଜବତ କରିଛି। ମାତ୍ର ୩୫ ବର୍ଗ ଫୁଟର ଘରୁ ରେଡ ବେଳେ ନଗଦ ୧୦ କୋଟି ଟଙ୍କା ଜବତ କରିଛି ଜିଏଟି ବିଭାଗ ।
କମ୍ପାନୀର କାର୍ଯ୍ୟକଳାପରେ ସନ୍ଦେହ କରି ଏପ୍ରିଲ ୧୬ରୁ ବିଭାଗ ପକ୍ଷରୁ ଚାମୁଣ୍ଡା ବୁଲିୟନ ନାମକ ଗୋଟିଏ କମ୍ପାନୀର ଦକ୍ଷିଣ ମୁମ୍ବାଇର ଜାଭେରି ବଜାରରେ ଥିବା ଠିକଣା ସମେତ ଏକାଧିକ ସ୍ଥାନରେ ରେଡ୍ କରାଯାଇଥିଲା। ରାଜ୍ୟ ଜିଏସ୍ଟି ବିଭାଗରେ ପଞ୍ଜୀକୃତ ହୋଇ ନଥିବା କମ୍ପାନୀର ଅଧିକାଂଶ ସ୍ଥାନରେ ହିଁ ରେଡ୍ କରାଯାଇଛି।
ଏହା ମଧ୍ୟରେ ପାଇଖାନାଠାରୁ ଛୋଟ ଅଫିସ ମଧ୍ୟ ରହିଥିଲା। ଏପ୍ରିଲ ୨୦ରେ କମ୍ପାନୀର ଗୋଟିଏ ଗୁପ୍ତ ଠିକଣାରେ ଅଧିକାରୀମାନେ ପହଞ୍ଚିଥିଲେ। ଏହା ଗୋଟିଏ ଛୋଟିଆ ଘର ହୋଇଥିଲେ ମଧ୍ୟ ସେଠାରୁ ୯.୭୮ କୋଟିର ନଗଦ ଟଙ୍କା ଓ ୧୯ କେଜି ଓଜନର ରୁପା ଇଟା ମିଳିଥିଲା। ଏହି ରୁପା ଇଟାଗୁଡ଼ିକର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ। ଟଙ୍କା ଓ ରୁପା ଇଟାକୁ ଛୋଟ ଘରର କାନ୍ଥ ଓ ଚଟାଣ ମଧ୍ୟରେ ଲୁଚାଇ ରଖାଯାଇଥିଲା।
ଜିଏସଟି ଅଧିକାରୀମାନେ କମ୍ପାନୀର ଆକାଉଣ୍ଟ ଯାଞ୍ଚ କରିବା ପରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ୨୦୧୯-୨୦ରେ କମ୍ପାନୀର ବାର୍ଷିକ ଆୟ ୨୨.୮୩ ଲକ୍ଷ ଟଙ୍କା ଥିଲା। ୨୦୨୦-୨୧ରେ ହଠାତ୍ ଏହା ୬୫୨ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। ତେବେ ୨୦୨୧-୨୨ରେ ଏହା ସିଧା ୧୭୬୪ କୋଟିରେ ପହଞ୍ଚିଥିବାରୁ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
Powered by Froala Editor