ପ୍ରଫୁଲ୍ଲ କରଙ୍କ ବିୟୋଗରେ ରାଜ୍ୟପାଳଙ୍କ ଶୋକ
ଭୁବନେଶ୍ୱର: ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଓଡିଶା ସଙ୍ଗୀତ ଜଗତର କିମ୍ବଦନ୍ତୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପରଲୋକରେ ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗାୟକ, ନିର୍ଦ୍ଦେଶକ ତଥା ଗୀତିକାର ଭାବରେ ତାଙ୍କର କୃତି ଓ କୀର୍ତ୍ତି ଚିର ସ୍ମରଣୀୟ ରହିବ ବୋଲି ଟ୍ବିଟ କରି କହିଛନ୍ତି ରାଜ୍ୟପାଳ । ଶୋକସନ୍ତପ୍ତ ପରିବାରବର୍ଗ ଓ ପ୍ରଫୁଲ୍ଲ ସଙ୍ଗୀତପ୍ରେମୀମାନଙ୍କୁ ସମବେଦନା ଜଣାଇଛନ୍ତି ଗଣେଶୀ ଲାଲ ।
ସେହିପରି ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଟ୍ବିଟ କରି କହିଛନ୍ତି ଓଡ଼ିଶାର ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ । ଓଡ଼ିଶାର ସଂଗୀତ ଓ କଳା କ୍ଷେତ୍ରରୁ ଏକ ଉଜ୍ଜଳ ନକ୍ଷତ୍ରର ଅବସାନ ଘଟିବାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ଆନ୍ଧ୍ର ରାଜ୍ୟପାଳ ।
ଭୁବନେଶ୍ୱର ସତ୍ୟନଗର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସଂଗୀତ ସାଧକ ପ୍ରଫୁଲ କରଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ଭାରତ ସରକାର । ଯେଉଁଥିପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଓଡ଼ିଶାରେ ଓଡ଼ିଆ ସଙ୍ଗୀତର ବୀଜ ଅଙ୍କୁରୋପଣ କରିବାରେ ପ୍ରଫୁଲ୍ଲ କରଙ୍କ ରହିଛି ଅତୁଳନୀୟ ଅବଦାନ ।
୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫୁଲ୍ଲ କର। ପିତାଙ୍କ ନାମ ପିତା ବୈଦ୍ୟନାଥ କର ଓ ମାତା ସୁଶିଳା କରଙ୍କ ସନ୍ତାନ ଥିଲେ ପ୍ରଫୁଲ୍ଲ କର । ତାଙ୍କ ପରିବାରରେ ସଂଗୀତମୟ ପରିବେଶ ଥିଲା । ସମଗ୍ର ପରିବାର ହିଁ ତାଙ୍କର ଥିଲା ସଙ୍ଗୀତର ଆସର । ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞମାନଙ୍କୁ ଶୁଣିବାର ସୁଯୋଗ ପାଇଥିଲେ ଓ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନ ପାଳନ ହୋଇଥିଲା ।
ପ୍ରଫୁଲ୍ଲ କର ପ୍ରାୟ ୭୦ରୁ ଅଧିକ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପାରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ।
Powered by Froala Editor