କାନ୍ଦୁଛି ୟୁକ୍ରେନ ମାଟି, ରାସ୍ତାରେ ପଡିଛି ହଜାର ହଜାର ମୃତ ଶରୀର
କ୍ୱିଭ: ଋଷିଆ ଓ ୟୁକ୍ରେନରେ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୮ଦିନ ପରେବି ଏହି ଯୁଦ୍ଧର କେବେ ସମାପ୍ତି ହେବ ତାହା କାହାକୁ ଜଣାନାହିଁ । ୟୁକ୍ରେନ ଉପରେ ରୁଷିଆ ସୈନ୍ୟଙ୍କ ବର୍ବର ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାଭିତରେ ୟୁକ୍ରେନର ମାରିୟୁପୋଲ ସହରରେ ରୁଷିଆ ସୈନ୍ୟ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ଦାବି କରାଯାଉଛି । ଏହି ଆକ୍ରମଣରେ ପ୍ରାୟ ୧୦ହଜାର ସାଧାରଣନାଗରିକଙ୍କ ମୃତୁ୍ୟ ହୋଇଥିବା ବେଳେ ଏହା ଆହୁରି ବୃଦ୍ଧି ପାଇ ୨୦ହଜାରରୁ ଊର୍ଦ୍ଧ୍ୱ ହୋଇପାରେ ବୋଲି ଆକଳନ କରାଯାଇଛି ।
ମାରିୟୁପୋଲ ମେୟର ଭାଡିମ ବଏଚେନ୍କୋ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନର ଗୃହମନ୍ତ୍ରଣାଳୟର ପରାମର୍ଶଦାତା ଆଣ୍ଟୋନ ଗେରେଶେଚେନେକୋ ଏକ ଟୁଇଟ୍ କରି ଦାବି କରିଛନ୍ତି ଯେ, ମାରିୟୁପୋଲରେ ଋଷିଆ ସୈନ୍ୟମାନେ ରାସାୟନିକ ଆକ୍ରମଣ କରିଛନ୍ତି । ଏଥିସହ ସେ କହିଛନ୍ତି, ରୁଷିଆ ମାନବିକତାର ସମସ୍ତ ସୀମା ଅତିକ୍ରମ କରିସାରିଲାଣି । ବର୍ତ୍ତମାନ ରୁଷିଆ ସହ କଡ଼ା ଲଢେଇରେ ୟୁକ୍ରେନ ଆହୁରି ଅସ୍ତ୍ରଶସ୍ତ୍ର ଲୋଡୁଛି ।
ଏଥିସହ କ୍ୱିଭ୍ ସହର ପରିଷଦର ଡେପୁଟି ଏଲିନା ମିଖାଇଲୋଭା ମଧ୍ୟ ଟୁଇଟ କରି ଏହା ରାସାୟନିକ ଆକ୍ରମଣ ବୋଲି ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ରୁଷୀୟ ସୈନ୍ୟମାନେ ୟୁକ୍ରେନ ସୈନ୍ୟ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ମାରିୟୁପୋଲରେ ଏକ ବିଷାକ୍ତ ପଦାର୍ଥ ବ୍ୟବହାର କରିଛନ୍ତି । ରୁଷୀୟ ସୈନ୍ୟ ଏହି ରାସାୟନିକ ପଦାର୍ଥକୁ ଡ୍ରୋନ ମାଧ୍ୟମରେ ମାରିୟୁପୋଲ ଉପରେ ପକାଇଛନ୍ତି ବୋଲି ଏଲିନା ଦାବି କରିଛନ୍ତି । ଅନ୍ୟପଟେ ଏହି ଆକ୍ରମଣ ପରେ ମାରିୟୁପୋଲର ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତେବେ ଏଥିରେ କେଉଁ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଛି ସେ ସମ୍ବନ୍ଧରେ କୌଣସି ସୂଚନା ଜଣା ପଡିନାହିଁ ।
Powered by Froala Editor