ଜେଏନୟୁରେ ନନଭେଜ ଖାଇବାକୁ ନେଇ ରକ୍ତ ସଂଘର୍ଷ , ୨୦ ଆହତ
ନୂଆଦିଲ୍ଲୀ: ରାମ ନବମୀରେ ନନଭେଜ ଖାଇବାକୁ ନେଇ ଜେଏନୟୁ କ୍ୟାମ୍ପସ୍ ରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଲା ରକ୍ତାକ୍ତ ସଂଘର୍ଷ । ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର କାବେରୀ ହଷ୍ଟେଲରେ ମୁହାଁମୁହିଁ ହେଲେ ଏବିଭିପି ଏବଂ ବାମ ସମର୍ଥିତ ଛାତ୍ର ଗୋଷ୍ଠୀ । ଏହି ସଂଘର୍ଷରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗତକାଲି ରବିବାର କାବେରୀ ହଷ୍ଟେଲ ମେସ୍ରେ ନନଭେଜ ପରସା ଯାଇଥିଲା। ରାମନବମୀରେ ନନଭେଜ ପରସାଯିବାକୁ ନେଇ ଏବିଭିପି ସଦସ୍ୟ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ଏବିଭିପି ଓ ବାମ ସଙ୍ଗଠନ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।
ବାମ ସଙ୍ଗଠନ ଛାତ୍ରଙ୍କ କହିବାନୁଯାୟୀ, କାବେରୀ ହଷ୍ଟେଲରେ କିଛି ଛାତ୍ର ଗତକାଲି ନନଭେଜ ଖାଇଥିଲେ। ଉକ୍ତ ସମୟରେ ଏବିଭିପି କର୍ମକର୍ତ୍ତା ସେଠାରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଦେଲେ। ଏପରିକି ସେମାନଙ୍କ ଆକ୍ରମଣରେ କିଛି ଛାତ୍ର ଆହତ ହେଲେ ।
ଅପରପକ୍ଷେ, ଏବିଭିପି କର୍ମକର୍ତ୍ତାଙ୍କ କହିବାନୁଯାୟୀ, ରାମନବମୀ ଅବସରରେ କାବେରୀ ହଷ୍ଟେଲରେ ପୂଜା କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପୂଜାରେ ବହୁ ସଂଖ୍ୟାରେ ଜେଏନୟୁ ଛାତ୍ର ଯୋଗ ଦେଇଥିଲେ। ଉକ୍ତ ସମୟରେ କିଛି ମୁସଲିମ୍ ଛାତ୍ର ଇଫତାର ପାର୍ଟି ମଧ୍ୟ ରଖିଥିଲେ । ସବୁ ଠିକ୍ଠାକ ଚାଲିଥିଲା। ଏହି ସମୟରେ କିଛି ବାମ ସଙ୍ଗଠନ ଛାତ୍ର ଆସି ହଷ୍ଟେଲରେ ପୂଜାକୁ ବିରୋଧ କରି ମାରପିଟ ଆରମ୍ଭ କରିଦେଲେ। ନନଭେଜ ସମ୍ପର୍କରେ ପଚରାଯିବାରୁ ଏବିଭିପି ପକ୍ଷରୁ କୁହାଯାଇଛି, କାବେରୀ ହଷ୍ଟେଲରେ ପ୍ରତିଦିନ ନନଭେଜ ଖାଦ୍ୟ ପରସା ଯାଏ। ଏହା ଛାତ୍ରଛାତ୍ରୀଙ୍କ ଇଚ୍ଛା ଉପରେ ନିର୍ଭର କରେ କିଏ ଖାଇବ ନା ନାହିଁ। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇ ପଡ଼ିବାରୁ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
Powered by Froala Editor