କୁବେର ଯନ୍ତ୍ରୀଙ୍କ ଆଉ ୧.୪୧କୋଟି ସମ୍ପତ୍ତି ଠାବ
ଭୁବନେଶ୍ୱର: ଭୁବନେଶ୍ୱର କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ପୁଣି ବିପୁଳ ଟଙ୍କା ଠାବ ହୋଇଛି । ନଗଦ ଆଉ ୧ କୋଟି ୪୧ ଲକ୍ଷ ୬୨ହଜାର ଟଙ୍କା ଭିଜିଲାନ୍ସ ଠାବ କରିଛି ।କାର୍ତ୍ତିକେଶ୍ୱରଙ୍କ ଦ୍ୱତୀୟ ପତ୍ନୀଙ୍କ ସାଲିଆ ସାହିସ୍ଥିତ ଭଉଣୀ ଘରୁ ୧.୪୧କୋଟି ଟଙ୍କା ଠାବ କରାଯାଇଛି । ଏହା ସହ ୩୫୪ଗ୍ରାମ ସୁନା ମଧ୍ୟ ଠାବ କରିଛି ଭିଜିଲାନ୍ସ ।
ଜେରାବେଳେ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ ଗୁମର ଖୋଲିଥିଲେ । ଭଉଣୀ ଘରେ ଟଙ୍କା ଓ ସୁନା ଲୁଚାଇ ରଖିଥିବା ମାନିବା ପରେ ଭିଜିଲାନ୍ସ ଚଢାଉ କରିଥିଲା । ବର୍ତ୍ତମାନ ସୁଦ୍ଧା ଯନ୍ତ୍ରୀଙ୍କ ନଗଦ ୩କୋଟି ୪୧ଲକ୍ଷ ୬୬ହଜାର ଟଙ୍କା ଜବତ ହୋଇଛି । ଆହୁରି ମଧ୍ୟ ପୋଖରୀପୁଟରେ ୩ମହଲା ଘର ପାଇଁ ୭୮.୫୦ଲକ୍ଷ ଦେଇଥିବା ସୂଚନା ମିଳିଛି । ଗତକାଲି ଗିରଫ ପରେ କାର୍ତ୍ତିକେଶ୍ୱରଙ୍କୁ ୩ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି ଭିଜିଲାନ୍ସ ।
ସୂଚନା ଅନୁସାରେ କାର୍ତ୍ତିକେଶ୍ୱର ରାଉଳ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ ବେଳେ ଘରୁ ଭିଜିଲାନ୍ସ ୨ କୋଟି ନଗଦ ଟଙ୍କା ଜବତ କରିଥିଲା ।
ରେଡ୍ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରୁ ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲେ । ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନ୍ ବ୍ୟବହାର କରିଥିଲେ ଭିଜିଲାନ୍ସ କର୍ମଚାରୀ । ଏହା ସହିତ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଠାରୁ ୨୦ଟି ସୁନା ବିସ୍କୁଟ୍ ଜବତ କରାଯାଇଥିଲା ଓ ସେଗୁଡିକର ଓଜନ ମିଶି ୫୮୦ ଗ୍ରାମ ହୋଇଥିଲା ।
Powered by Froala Editor