ପ୍ରଥମ ଥର : ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ୨ କୋଟି ନଗଦ ଟଙ୍କା

ଆଜି ଜଣେ ଯନ୍ତ୍ରୀଙ୍କ ଘରୁ ୨ କୋଟି ନଗଦ ଟଙ୍କା ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ପ୍ରଥମ ବୋଲି କୁହାଯାଇଛି। ତାଙ୍କ ନାଁ କାର୍ତ୍ତିକେଶ୍ୱର ରାଉଳ। ସେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କର ଭୁବନେଶ୍ୱରର ଟାଟା ଆରିଅନ ସ୍ଥିତ ଫ୍ଲାଟ୍ରେ ଚଢ଼ାଉ କରାଯାଇଛି। ଆଉ ଚଢ଼ାଉ ବେଳେ ଘରୁ ଭିଜିଲାନ୍ସ ପ୍ରାୟ ୨ କୋଟି ନଗଦ ଟଙ୍କା ଜବତ କରାଯାଇଛି।
ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରୁ ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲେ। ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନ୍ ବ୍ୟବହାର କରିଥିଲେ ଭିଜିଲାନ୍ସ କର୍ମଚାରୀ। ଏହା ସହିତ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଠାରୁ ୨୦ଟି ସୁନା ବିସ୍କୁଟ୍ ଜବତ କରାଯାଇଛି। ସେଗୁଡ଼ିକର ଓଜନ ମିଶି ୫୮୦ ଗ୍ରାମ।
ସୂଚନାଯୋଗ୍ୟ, ବୁଧବାର ସକାଳ ସମୟରେ ପାର୍କରୋଡ଼ ବସନ୍ତ ନିଳୟ ସାହି ନିକଟରେ ଥିବା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଏବଂ ସରକାରୀ କ୍ବାର୍ଟରରେ ଭୁବନେଶ୍ବରର ଭିଜିଲାନ୍ସ୍ ଡିଏସ୍ପି ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ବରେ ୯ଜଣିଆ ଟିମ୍ ପହଞ୍ଚି ଚଢଉ ଆରମ୍ଭ କରିଥିଲେ। ଏହି ଚଢଉ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଅଧିକାରୀମାନେ କାର୍ଯ୍ୟାଳୟ ଭିତରେ ଥିବା ଶ୍ରୀ ରାଉଳଙ୍କ ଚାମ୍ବରରେ କାଗଜପତ୍ର ଯାଞ୍ଚ୍ କରିଥିଲେ। ଏହାପରେ ତାଙ୍କର କ୍ବାର୍ଟର୍ସକୁ ଯାଇ ଛାନଭିନ୍ ଆରମ୍ଭ କରିଥିଲେ। ସେଠାରୁ ସେମାନେ ନଗଦ ୨ ଲକ୍ଷ ୫୦ ହଜାର ୮ ଶହ ଟଙ୍କା ପାଇଥିଲେ ଏବଂ ତାଙ୍କର ଏକ ଦାମୀ କାର୍ ଜବତ କରିଥିଲେ। ସମ୍ପତ୍ତି ସଂର୍ପକରେ କୌଣସି କାଗଜପତ୍ର ସେମାନଙ୍କ ହସ୍ତଗତ ହୋଇନଥିବା ବେଳେ ଭୁବନେଶ୍ବର ଘର ଯାଞ୍ଚ ପରେ ସମସ୍ତ ତଥ୍ୟ ଦିଆଯିବ ବୋଲି ସେ କହିଥିଲେ।
Powered by Froala Editor