ବିଜେପି ଛାଡିଲେ ଜୟରାମ : କହିଲେ, ଲୋକଙ୍କ ସହ ରହି ଅଞ୍ଚଳର ବିକାଶ କରିବି
ପୂର୍ବତନ ସାଂସଦ ଜୟରାମ ପାଙ୍ଗି ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି। କୋଟିଆରେ ଅନୁଷ୍ଠିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଜୟରାମ ବିଜେପି ଛାଡିବା ପରେ ଅନ୍ୟ କୌଣସି ଦଳରେ ମିଶିବା ନେଇ ସ୍ପଷ୍ଟ କରିନାହାନ୍ତି ।
ତେବେ ଲୋକଙ୍କ ସହ ରହି ଅଂଚଳର ବିକାଶ ଦିଗରେ କାମ କରିବି ବୋଲି କହିଛନ୍ତି । ଗତ କିଛିଦିନ ଧରି ସ୍ବତନ୍ତ୍ର କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା ଦାବି କରି ଆସୁଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ଓ ଛତିଶଗଡର ଆଦିବାସୀ ଅଧ୍ୟୁଷିତ କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଜୟରାମ ପାଙ୍ଗୀ ଦୀର୍ଘ ଦିନ ହେବ ପ୍ରୟାସ କରିଆସୁଛନ୍ତି ।
ଅବିଭକ୍ତ କୋରାପୁଟ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟର ସୀମାନ୍ତ ଅଂଚଳକୁ ନେଇ ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ବିକାଶ ପରିଷଦ ନାମରେ ସଂଗଠନ ଗଢିଛନ୍ତି । ଏହି ସଂଗଠନରେ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ୨୦୧୭ରେ ବିଜେଡିରୁ ନିଲମ୍ବିତ ହେବାପରେ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ।
Powered by Froala Editor