ପୋଷାକ ପାଇଁ ପୁଲିସ ବାବୁ ପାଇବେ ୬ ହଜାର ଟଙ୍କା ଭତା
ଭୁବନେଶ୍ୱର : ପୁଲିସ ବାବୁମାନଙ୍କୁ ପୋଷାକ ପାଇଁ ଭତା ମିଳିବ । ଓପିଏସ ଓ ଓଏପିଏସଙ୍କୁ ଏଥିପାଇଁ ୬ ହଜାର ଟଙ୍କା ମିଳିବ । ବ୍ରିଟିଶ ଅମଳର ଏହି ନିୟମକୁ ଗୃହ ବିଭାଗ ବଦଳାଇ ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ଫୋର୍ସଙ୍କୁ ୫୯୦୦ ଟଙ୍କା ଓ ଆଇପିଏସଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଭତା ମିଳୁଥିଲା । ଖାକି ପୋଷାକ ପାଇଁ ସେମାନଙ୍କୁ ଏହି ଭତା ମିଳୁଥିଲା । ସେହିପରି ସିପାହୀରୁ ଇନ୍ସପେକ୍ଟରଙ୍କ ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏବିସିଡ଼ି ଭଳି ଚାରିଟି ମାପରେ ଖାକି ପୋଷାକ ଦିଆଯାଉଥିଲା । କିନ୍ତୁ ଏହି ପୋଷାକ ପୁଲିସମାନଙ୍କୁ ନହେବାରୁ ସେମାନଙ୍କୁ କପଡ଼ା ଦେବାର ବନ୍ଦୋବସ୍ତ କରାଯାଇଥିଲା । ୧୯୮୦ ଠାରୁ କପଡ଼ା ଦେବାର ବ୍ୟବସ୍ଥା ହୋଇଥିଲା । ତେବେ ୨୦୨୦ରେ ଡିଜି ଅଭୟ କପଡ଼ା ଯୋଗାଇବା ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ । ଓଡ଼ିଶା ସ୍ପେଶିଆଲ ଷ୍ଟ୍ରାଇକିଂ ଫୋର୍ସକୁ ୫୯୦୦ ଟଙ୍କା ଓ କନେଷ୍ଟବଳ, ହାବିଲଦାରଙ୍କୁ ୫ ହଜାର, ଏସଏସଆଇରୁ ଏସଆଇଙ୍କୁ ୪ ହଜାର ୨୦୦ ଟଙ୍କା ପୋଷାକ ଭତା ଦେବାର ବ୍ୟବସ୍ଥା କରାଯାଇଥିଲା । ଇନ୍ସପେକ୍ଟରମାନଙ୍କୁ ୪ ହଜାର ୩୦୦ ଟଙ୍କା ପୋଷାକ ଭତା ଦିଆଯିବାକୁ ନିଷ୍ପତି ହୋଇଥିଲା ।
ଏବେ ଗୃହ ବିଭାଗ ପକ୍ଷରୁ ଓପିଏସ ଓ ଓଏପିଏସ ପାହ୍ୟାର ଅଧିକାରୀମାନଙ୍କୁ ୬ ହଜାର ଟଙ୍କାର ଭତା ଦେବାକୁ ନିର୍ଦ୍ଦେଶନାମା ଜାରିହୋଇଛି । ପୋଷାକ ସମେତ ଜୋତା, ବେଲଟ, ଟୋପି, କମ୍ବଳ ଆଦି ଭଳି ୧୨ଟି ଜିନିଷ ସେମାନେ ଏହି ଟଙ୍କାରେ କିଣିବେ ।
Powered by Froala Editor