ପୁଣି ବଢିଲା ତେଲ ଦର
ନୂଆଦିଲ୍ଲୀ: ଲଗାତାର ତୈଳ ଦର ବଢାଇ ଚାଲିଛନ୍ତି ତୈଳ କମ୍ପାନୀ । ଆଜି ମଧ୍ୟ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ରେଟ୍ ବଢିଛି । ବିଗତ ୧୦ ଦିନ ମଧ୍ୟରେ ନବମ ଥର ପାଇଁ ଦର ବୃଦ୍ଧି ହୋଇଛି । ଗୁରୁବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢିଛି । ଫଳରେ ୧୦ ଦିନ ମଧ୍ୟରେ ତେଲ ରେଟ୍ ପ୍ରାୟ ୬.୪୦ ଟଙ୍କା ମହଙ୍ଗା ହୋଇଛି ।
ବର୍ଦ୍ଧିତ ଦର ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୧.୮୧ ଟଙ୍କା ହୋଇଛି । ସେହିପରି ଡିଜେଲ ମଧ୍ୟ ୯୨.୨୭ ଟଙ୍କାରୁ ୯୩.୦୭ ଟଙ୍କାକୁ ବଢିଛି । ମୁମ୍ବାଇରେ ଡିଜେଲ ଏବେ ୧୦୦ ଟଙ୍କା ପାର୍ କରିଛି । ଏଠାରେ ତେଲ ଲିଟର ପିଛା ୮୪ ପଇସା ବୃଦ୍ଧି ସହ ଦର ଯଥାକ୍ରମେ ୧୧୬.୭୨ ଏବଂ ୧୦୦.୯୪ ଟଙ୍କାରେ ପହଞ୍ଚିଛି । ଯଦି ଚେନ୍ନାଇ କଥା କହିବା, ଏଠାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୭୬ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଫଳରେ ପେଟ୍ରୋଲ ଲିଟର ୧୦୭.୪୫ ଟଙ୍କା ଏବଂ ଡିଜେଲ ୯୭.୫୨ ଟଙ୍କା ହୋଇଯାଇଛି । କୋଲକାତାରେ ପେଟ୍ରୋଲ ୧୧୧.୩୫ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ ମଧ୍ୟ ଶତକ ମୁହାଁ ହୋଇଛି । କିଛି ଦିନ ପୂର୍ବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ଦୀର୍ଘ ୪ ମାସ ଯାଏଁ ଅପରିବର୍ତ୍ତିତ ରହିଥିଲା । ହେଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ସରକାର ଗଠନ ପରେ ଗତ ୨୨ ତାରିଖରୁ କମ୍ପାନୀମାନେ ତୈଳ ଦର ବଢାଇ ଚାଲିଛନ୍ତି ।
Powered by Froala Editor