ରାଜ୍ୟର ବିକାଶ ବିଜେଡିର ଲକ୍ଷ୍ୟ: ନବୀନ

ନୂଆଦିଲ୍ଲୀ: ରାଜ୍ୟର ବିକାଶ ଏବଂ ଜନକଲ୍ୟାଣ କାର୍ୟ୍ୟ ବିଜେଡିର ଲକ୍ଷ୍ୟ। ଆମେ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା କରୁଛୁ ସେଥିଲାଗି ଓଡ଼ିଶା ଲୋକଙ୍କ ବିଶ୍ବାସଭାଜନ ହୋଇଛୁ। ଦିଲ୍ଲୀ ଗସ୍ତ କାଳରେ ଓଡ଼ିଶାରେ ବିଜେଡିର ଜୋର୍ଦାର ବିଜୟ କାରଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ସେହିପରି ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସହମତି ଭିତ୍ତିରେ ପ୍ରାର୍ଥୀ ଦେବା ଲାଗି କୌଣସି ପ୍ରସ୍ତାବ ବିଷୟରେ ଏପର୍ୟ୍ୟନ୍ତ ଚିନ୍ତା କରିନାହିଁ। ବହୁପୂର୍ବରୁ ଏହି ପ୍ରସଙ୍ଗରେ ମତାମତ ଦେବା ଠିକ୍ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଲାଗି ବିରୋଧୀ ଦଳଗୁଡ଼ିକର ଏକତା ହେବ କି ବୋଲି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେ ଏହି ବିଷୟରେ କିଛି ଭାବି ନାହାନ୍ତି। ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଅଥବା ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ନେଇ କୌଣସି କାର୍ୟ୍ୟକ୍ରମ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ।
ଗତକାଲି ଦିବା ୧୨ଟା ୩୦ରେ ସଂସଦର ଗେଟ ସଂଖ୍ୟା ୪ରେ ପହଞ୍ଚିବା ପରେ ଦଳୀୟ ସାଂସଦଗଣ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି ପାର୍ଲିଆମେଣ୍ଟ ବିଲ୍ଡିଂରେ ୪୪ ନମ୍ବର କକ୍ଷରେ ଅବସ୍ଥିତ ବିଜୁ ଜନତା ଦଳ ସଂସଦୀୟ ଦଳ କାର୍ୟ୍ୟାଳୟକୁ ପାଛୋଟି ନେଇଥିଲେ। ରାଜ୍ୟସ୍ୱାର୍ଥ ସହ ଜଡ଼ିତ କେଉଁ ପ୍ରସଙ୍ଗଗୁଡ଼ିକୁ ସଂସଦରେ ଉତ୍ଥାପନ କରାଯାଇଛି ଏବଂ କେଉଁ ପ୍ରସଙ୍ଗଗୁଡ଼ିକ ବାକି ରହିଛି ସେ ବିଷୟରେ ଦଶ ମିନିଟରୁ ଊର୍ଦ୍ଧ୍ବ ସମୟ ଧରି ଦଳୀୟ ସାଂସଦଙ୍କୁ ପଚାରି ବୁଝିଥିଲେ। ମନେରାଗା ଯୋଜନା, କୋଇଲା ରୟାଲଟି ସଂଶୋଧନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ଆଲୋଚନାର ମୁଖ୍ୟ ବିଷୟ ରହିଥିବା ଜଣାପଡ଼ିଛି।
Powered by Froala Editor