ଉତ୍ସବ ବେଳେ ମେକ୍ସିକୋ ସହରରେ ଗୁଳିମାଡ଼, ୧୯ ଜଣଙ୍କ ମୃତ୍ୟୁ

ରବିବାର ସେଣ୍ଟ୍ରାଲ ମେକ୍ସିକୋରେ ୧୯ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ୧୯ ଜଣଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି। ଷ୍ଟେଟ୍ ଆଟର୍ଣ୍ଣି ଜେନେରାଲ ଅଫିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକା ସାଙ୍ଗରେ ୧୯ଜଣଙ୍କୁ ହତ୍ୟା କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ମେକ୍ସିକୋର ମିକୋଆକାନ ରାଜ୍ୟର ଲାସ ତିନାଜାସ ଟାଉନରେ ଏହି ଘଟଣା ଘଟିଛି।
ଲାସ ତିନାଜା ସହରରେ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଏହି ଘଟଣା ଘଟିଛି। ଘଟଣା ଘଟିବା ପରେ ରାତି ପ୍ରାୟ ୧୦ଟା ୩୦ରେ ଏ ନେଇ ସୂଚନା ପାଇ ପୋଲିସ ତଦନ୍ତ ଲାଗି ପହଞ୍ଚିଥିଲା ବୋଲି ଜଣାପଡ଼ିଛି। ପହଞ୍ଚିବା ପରେ ୧୯ଜଣଙ୍କ ମୃତଦେହ ତଳେ ପଡ଼ିଥିବାର ଦେଖିବା ସହ ସେମାନଙ୍କ ଦେହରେ ଗୁଳି ବାଜିଥିବା ଦେଖାଯାଇଥିଲା। ୧୯ଜଣଙ୍କ ମଧ୍ୟରୁ ୧୬ଜଣ ପୁରୁଷ ଥିବା ବେଳେ ୩ଜଣ ମହିଳା ରହିଛନ୍ତି। ଏକାଧିକ ଲୋକ ଏହି ଆକ୍ରମଣରେ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନା ପଠାଯାଇଛି। ତେବେ କିଏ ଏବଂ କ’ଣ ପାଇଁ ଏଭଳି ନିର୍ମମ ଭାବେ ୧୯ଜଣଙ୍କୁ ହତ୍ୟା କଲା, ଏହାର କାରଣ ସାମ୍ନାକୁ ଆସିପାରିନାହିଁ। ଗୁଳିମାଡରରେ ସାମିଲ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ଥାନୀୟ ପୋଲିସ ତଦନ୍ତ ଚଳାଇଛି। ମିକୋଆକାନ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ମେକ୍ସିକୋର ସବୁଠୁ ଦୁଇ ଅଶାନ୍ତ ରାଜ୍ୟ ହେଉଛି ମିକୋଆକାନ ଏବଂ ଏହାର ପଡୋଶଶୀ ଗୁଆନଜୁଆଟୋ। ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଏଠାରେ ଡ୍ରଗ୍ସ ଏବଂ ଅପରାଧିକ କାର୍ଯ୍ୟକଳାପ ପାଇଁ ସର୍ବଦା ଗୋଷ୍ଠୀ ସଂଘର୍ଷ ଲାଗି ରହିଥାଏ।
Powered by Froala Editor