କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗରରେ ବିଜେଡି ମେୟର ପ୍ରାର୍ଥୀ ବିଜୟୀ
ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ହୋଇଛି । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମରେ ବିଜେଡିର ସୁଲୋଚନା ଦାସ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ରହ୍ମପୁରରେ ବିଜେଡିର ସଂଘମିତ୍ରା ଦଳେଇ ମେୟର ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। କଟକରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ମେୟର ହୋଇଛନ୍ତି। ପୌର ନିର୍ବାଚନରେ ବିଜେଡିର ସଫଳତା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଭୁବନେଶ୍ବର ମହାନଗର ନିଗମରେ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ୬୧ ହଜାର ୪୮୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସୁଲୋଚନାଙ୍କୁ ମୋଟ ୧ ଲକ୍ଷ ୭୪ ହଜାର ୪୮୭ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁନିତା ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୦୦ ଭୋଟ୍ ପାଇଛନ୍ତି । କଂଗ୍ରେସ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଦଳକୁ ମାତ୍ର ୧୧ ହଜାର ୬ ଖଣ୍ଡ ଭୋଟ ମିଳିଛି ।
ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ମୋଟ ୬୬ ହଜାର ୬୮ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସବିତା ସୁଆର ୪୫ ହଜାର ୭୮୨ ଭୋଟ ପାଇଛନ୍ତି ।
କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ବିଜୟୀ ହୋଇଛନ୍ତି । ସୁବାସ ୪୫ ହଜାର ୨୦୬ ଖଣ୍ଡ ଭୋଟରେ ଜିତି କଟକ ମେୟର ପଦ ଦଖଲ କରିଛନ୍ତି । ସୁବାସଙ୍କୁ ମୋଟ ୧ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ ମିଳିଛି ।
Powered by Froala Editor