ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୦କୁ ହ୍ରାସ: ରାଜ୍ୟପାଳ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ତେବେ ପ୍ରଥମେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ନିଜର ଅଭିଭାଷଣ ରଖିଛନ୍ତି ।
ଏହି ଅବରରେ ସେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କହିଛନ୍ତି ଯେ ୨୦୨୧ରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ । ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ଦୃଢତାର ସହ ଦମନ କରାଯାଉଛି । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଛି । ପୁଲିସ ପଦକ୍ଷେପ ପାଇଁ ପ୍ରାୟ ୫୮ ଜଣ ମାଓବାଦୀ ନିହତ ହୋଇଛନ୍ତି । ୧୯୪ ମାଓବାଦୀଙ୍କୁ ଗିରଫ କରାଯାଇଛି ଓ ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି ।
ସେହିପରି ୨୦୨୧ରୁ ୨୬୭ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ୧୫୧ ଅନୈତିକ, ଅପାରଗ ଓ ଅସାଧୁ କର୍ମଚାରୀଙ୍କୁ ବିଦା କରାଯାଇଛି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ରାଜ୍ୟର ପ୍ରତି ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଦିଆଯାଉଛି । କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପାଇଁ ସରକାର ମଞ୍ଜୁର କରିଛନ୍ତି । କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି । କରୋନା ଟେଷ୍ଟିଂ ପାଇଁ ବ୍ଲକସ୍ତରରେ ବି ବ୍ୟବସ୍ଥା କରାଯାଇଛି । ୩୦ ଜିଲ୍ଲାକୁ ରେଳ ସଂଯୋଗ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସଡ଼କ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି । ଏବେ ଓଡ଼ିଶା ଏକ ବିଦୁ୍ୟତ ବଳକା ରାଜ୍ୟ ହୋଇପାରିଛି । କୋଭିଡରେ ଲୋକଙ୍କୁ କାମ ଦେବାକୁ ୨୧ କୋଟି ଶ୍ରମ ଦିବସ କରାଯାଇଛି । କର୍ମସଂସ୍ଥାନ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି । ଚାଷୀମାନଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି । ୨୦୨୦-୨୧ରେ ୫୭ ଲକ୍ଷ ଚାଷୀ ପରିବାରକୁ ସହାୟତା ମିଳିଛି । ବଳରାମ ଯୋଜନାରେ ଭୂମିହୀନ, ଭାଗଚାଷୀଙ୍କୁ ସହାୟତା ଦିଆଯାଉଛି । ଚାଷୀଙ୍କୁ ୫୦ ହଜାର ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି ।
ସବୁ କଚ୍ଚା ଘରକୁ ପକ୍କା ଘର କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ବିଜୁ ପକ୍କା ଘର ଯୋଜନାରେ ୩୧ ଲକ୍ଷ ପକ୍କା ଘର ଯୋଗଇ ଦିଆଗଲାଣି । ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ସହାୟତା ମିଳିଛି । ମରାମତି ପାଇଁ ହିତାଧିକାରୀ ପିଛା ୩ ହଜାର ଟଙ୍କା ପ୍ରଦାନ କରାଯାଇଛି । ମରାମତି ବାବଦରେ ମୋଟ ୧୪୪୦ କୋଟି ବ୍ୟୟ କରାଯାଇଛି । ମହିଳାଙ୍କୁ ସଶକ୍ତ କରିବାକୁ ମିଶନ ଶକ୍ତିକୁ ତ୍ୱରାନ୍ୱିତ କରାଯାଇଛି । ରାଜ୍ୟରେ ୬ଲକ୍ଷ ଏସଏଚଜିରେ ୧୭ ଲକ୍ଷରୁ ଅଧିକ ସଦସ୍ୟା ରହିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।
Powered by Froala Editor