ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

ମଣିପୁରର ଚୁରାଚାନ୍ଦପୁର ଜିଲା ଅନ୍ତର୍ଗତ ମୋଙ୍ଗଜଙ୍ଗ ଗ୍ରାମ ନିକଟରେ ସୋମବାର ଅପରାହ୍ନ ପ୍ରାୟ ୨ଟାରେ ଏକ ଗାଡ଼ି ଉପରକୁ ଅଜଣା ବନ୍ଧୁକଧାରୀ ଗୁଳିମାଡ଼ କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟା ମହିଳା ମଧ୍ୟ ଅଛନ୍ତି ।
ପୋଲିସ ଅନୁଯାୟୀ, ଅପରାହ୍ନ ପ୍ରାୟ ୨ଟା ସମୟରେ ଚୁରାଚାନ୍ଦପୁରର ମୋଙ୍ଗଜାଙ୍ଗ ଗାଁ ନିକଟରେ ଏହି ଆକ୍ରମଣ ହୋଇଥିଲା।ପୀଡିତମାନେ ଏକ କାରରେ ଯାତ୍ରା କରୁଥିବା ସମୟରେ ପୂର୍ବରୁ ଅପେକ୍ଷା କରିଥିବା ବନ୍ଧୁକଧାରୀମାନେ ସେମାନଙ୍କ ଉପରେ ଆକ୍ରମଣ କରି ଗୁଳି ଚଳାଇଥିଲେ, ଯାହା ଫଳରେ ସେମାନେ ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲେ ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାସ୍ଥରୁ ୧୨ରୁ ଅଧିକ ଖୋକା ଜବତ ହୋଇଛି। କୌଣସି ସଂଗଠନ ବର୍ତ୍ତମାନ ସୁଦ୍ଧା ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ। ବନ୍ଧୁକଧାରୀମାନେ କାହିଁକି ଏହି କାଣ୍ଡ ଘଟାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ ବୋଲି ପୁଲିସ କହିଛି।
Powered by Froala Editor