ମହାନଦୀ ଜଳ ବିବାଦ: ଏହି ଦିନ ହେବ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ମହାନଦୀ ଜଳ ଆବଣ୍ଟନ ନେଇ ଖୁବଶୀଘ୍ର ତାହାର ଚୂଡାନ୍ତ ରିପୋର୍ଟ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଓ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟକୁ ପ୍ରଦାନ କରିବ । ଏହାଫଳରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦ରେ ହେବ ବୋଲି ସ୍ଥିର କରାଯାଇଛି । ଟ୍ରିବ୍ୟୁନାଲ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ବିବାଦର ସମାଧାନ କରିବାକୁ ଚାହାନ୍ତି କାରଣ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀ ୧୩ରେ ଶେଷ ହେବାକୁ ଯାଉଛି । ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏମ୍ ତ୍ରିବେଦୀଙ୍କ ନେତୃତ୍ୱରେ ମହାନଦୀ ଜଳ ବିବାଦର ସମାଧାନ ନେଇ ସୋମବାର ଶୁଣାଣି ହୋଇଥିଲା । ଓଡିଶା ସରକାରଙ୍କ ଏଜି ପିତାମ୍ବର ଆଚାର୍ଯ୍ୟ ଓ ଛତିଶଗଡ଼ ଏଜି ଶୁଣାଣି ବେଳେ ଉପସ୍ଥିତ ଥିଲେ । ସେମାନେ ଦର୍ଶାଇଥିଲେ ଯେ, ଉଭୟ ରାଜ୍ୟ ଏହି ବିବାଦର ଶୀଘ୍ର ସମାଧାନ ଚାହାନ୍ତି । ଏଥିଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଶୁଣାଣି ସମୟରେ ଓଡିଶା ଏଜି ପରବର୍ତ୍ତୀ ତାରିଖ ପାଇଁ କିଛି ଅଧିକ ସମୟ ମାଗିଥିଲେ । ତେବେ ଟ୍ରିବ୍ୟୁନାଲ ଏଥିରେ ରାଜି ନ ହୋଇ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦ରେ ହେବ ବୋଲି ସ୍ଥିର କରିଥିଲେ ।
Powered by Froala Editor