ଉପଭୋକ୍ତାଙ୍କୁ ଆଶ୍ୱସ୍ତି : ଏ ବର୍ଷ ବଢ଼ିବନି ବିଦ୍ୟୁତ୍ ଦର

୨୦୨୨-୨୩ ଆର୍ଥିକ ବର୍ଷରେ ବଢିବନି ବିଦ୍ୟୁତ ଦର । କରୋନା କଟକଣା ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଶୁଳ୍କକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅପରିବର୍ତ୍ତିତ ରଖିଛନ୍ତି । ସେହିପରି ଚାଷୀ,ଶିଳ୍ପ ଏବଂ ସାଧାରଣ ଲୋକଙ୍କ ପାଇଁ ଅନେକ ରିହାତି ବ୍ୟବସ୍ଥା ଘୋଷଣା କରିଛି ଓଇଆରସି । ଏହାସହ ଡ଼ିଜିଟାଲ ପେମେଣ୍ଟ କଲେ ଉପଭୋକ୍ତାଙ୍କୁ ୩ ପ୍ରତିଶତ ସବସିଡ଼ି ମିଳିବ ବୋଲି ଓଇଆାରସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ରିହାତି ମଧ୍ୟ ଚଳିତମାସର ବିଲ୍ ପାଇଁ ପ୍ରଯୁଜ୍ୟ ହେବ ।
ଜଳସେଚନ ପାଇଁ ମେଗା ଲିଫ୍ଟ ଉପଭୋକ୍ତାମାନେ ବିଦ୍ୟୁତ ଶୁଳ୍କ ଉପରେ ୟୁନିଟ୍ ପିଛା ୨ଟଙ୍କାର ରିହାତି ପାଇବେ ଓ ସେମାନଙ୍କୁ କୌଣସି ଡିମାଣ୍ଡ ଚାର୍ଜ ଦେବାକୁ ପଡ଼ିବ ନାହିଁ । ସେହିପରି ଏଲଟି ଇଣ୍ଡଷ୍ଟ୍ରିଆଲ (କ୍ଷୁଦ୍ରଶିଳ୍ପ ) ଉପଭୋକ୍ତାମାନେ ମଧ୍ୟ ୟୁନିଟ୍ ପିଛା ୧୦ ପଇସା ରିହାତି ପାଇବେ । ଯଦି ସେମାନେ ମାସକୁ ୬୦%ରୁ ଅଧିକ ଲୋଡ୍ ଉପଯୋଗ କରୁଥିବେ । କେବଳ ସେତିକି ନୁହେଁ ଯେଉଁ ଉପଭୋକ୍ତା ନିଜର ୧୦୦ ପ୍ରତିଶତ ବିଦ୍ୟୁତ ଚାହିଦାକୁ ଅକ୍ଷୟଶକ୍ତି ମାଧ୍ୟମରେ ପୂରଣ କରୁଥିବେ ତାଙ୍କୁ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ(ଡିସକମ) ଦ୍ୱାରା ଗ୍ରୀନ କଞ୍ଜୁମର ସାର୍ଟିଫିକେଟ୍ ମିଳିବ । ତେବେ ଏହି ସୁବିଧା କ୍ୟାପଟିଭ ଜେନେରେଟିଂ ପ୍ଲାଂଟ୍ (ସିଜିପି)ଗୁଡ଼ିକ ନିମନ୍ତେ ଲାଗୁ ହେବନି। ବିଦ୍ୟୁତ କମ୍ପାନୀଗୁଡ଼ିକ ପାଖରେ ୩୫୫ କୋଟି ଟଙ୍କାର ବଳକା ପାଣ୍ଠି ରହିଛି। ଯାହାର ଲାଭ ସେମାନେ ଉଠାଇ ପାରିବେ ବୋଲି ଓଇଆରସି କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଏପ୍ରିଲରେ ଶେଷଥର ପାଇଁ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇଥିଲା । ସେହି ସମୟରେ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ପାଇଥିଲା ।
Powered by Froala Editor