ପୌର ଭୋଟ:ପ୍ରତି ବୁଥରେ ରହିବ ଦୁଇଟି ଇଭିଏମ

ଭୁବନେଶ୍ବର: ଆଜି ରାଜ୍ୟରେ ପଡିବ ପୌର ନିର୍ବାଚନ ପାଇଁ ଭୋଟ । ମତଦାନ ପାଇଁ ପୁରା ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସାରା ରାଜ୍ୟର ୫୯ଟି ଏନଏସି, ୪୭ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ହେବ ନିର୍ବାଚନ । ଏଥିପାଇଁ ୪ ହଜାର ୩ ଶହ ୭୩ ବୁଥରେ ମୋଟ ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।
ପ୍ରତି ବୁଥରେ ରହିବ ଦୁଇଟି ଇଭିଏମ । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଓ ଅନ୍ୟ ଗୋଟିଏ ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ସହରାଞ୍ଚଳରେ ଗୋଟିଏ ଲେଖାଏଁ ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ବାରା ପରିଚାଳିତ ପିଙ୍କ ବୁଥ କରାଯାଇଛି । ପ୍ରତି ମହାନଗର ନିଗମରେ ୫ ଟି ଲେଖାଏ ପିଙ୍କ ବୁଥ ସମେତ ଆଦର୍ଶ ବୁଥ ମଧ୍ୟ କରାଯାଇଛି । ପୌର ନିର୍ବାଚନ ପାଇଁ ମତଦାନ ସକାଳ ୮ ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ ଟା ପର୍ୟ୍ୟନ୍ତ ଚାଲିବ ।
ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିପାଇଁ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କେବଳ ଭୁବନେଶ୍ବରରେ ୩୦, କଟକରେ ୨୦ ଓ ବ୍ରହ୍ମପୁର ମହାନଗର ନିଗମରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏହାବାଦ ସାରା ରାଜ୍ୟରେ ୩ ଶହ ୪୦ ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି । ଏତତ ବ୍ୟତୀତ ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏ ଷ୍ଟ୍ରାଇକିଂ ଫୋର୍ସ ୟୁନିଟ ରହିବେ । ଜରୁରୀ ପରିସ୍ଥିତି ପାଇଁ ଆବଶ୍ୟକ ପୋଲିସ ଫୋର୍ସଙ୍କୁ ମଧ୍ୟ ରିଜର୍ଭ ରଖାଯାଇଛି ।
Powered by Froala Editor