ମାନସ ହତ୍ୟା ମାମଲା: ମିଳିଲା ଶର୍ମିଷ୍ଠାଙ୍କ କାର୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲା ଘନେଇବାରେ ଲାଗିଛି । ୨ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିଲା । ଗତକାଲି ଏହି ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ଆବେଦନ କରିଥିଲେ । ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ମାନସ ହତ୍ୟା ଘଟଣା ପରଠୁ ପୁଲିସ ଶର୍ମିଷ୍ଠାଙ୍କୁ ଖୋଜୁଥିବା ବେଳେ ତାଙ୍କର ପତ୍ତା ପାଇ ପାରୁନାହିଁ ।
ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ ସଂପୂର୍ଣ୍ଣ ୱବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି । ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜ୍ରୁ ଶର୍ମିଷ୍ଠାଙ୍କ କାର୍ ମିଳିଛି । ଏହି କାରରେ ମାନସଙ୍କୁ ଚାନ୍ଦବାଲିରୁ ଉଠା ଯାଇଥିବା ସନେ୍ଦହ କରାଯାଉଛି ।
ସୂଚନା ଅନୁସାରେ ଫେବ୍ରୁଆରୀ ୬ ତାରିଖରେ ମାନସ ବାହାଘର ଭିଡିଓ ଶୁଟିଂ କରିବାକୁ ଯାଇଥିଲେ । ତା’ପର ଦିନ ଅର୍ଥାତ ୭ ତାରିଖ ସକାଳେ ଭୁବନେଶ୍ୱର ଫେରୁଥିବା ବେଳେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାଡ ମାରି ମାନସଙ୍କୁ ଅପହରଣ କରିନେଇଥିଲେ । ତାଙ୍କୁ ଭୁବନେଶ୍ୱର ଦୟାଲ୍ ଆଶ୍ରମ ଆଣି ପ୍ରବଳ ମାଡ ମାରିଥିଲେ । ମାଡ ମାରୁ ମାରୁ ସେଠାରେ ମାନସଙ୍କ ମୃତୁ୍ୟ ଘଟିଥିଲା । ତା’ପରେ ମାନସଙ୍କ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ ।
Powered by Froala Editor