ବିବେକହୀନ ହୋଇଗଲାଣି ମଣିଷ, କମେଣ୍ଟ ମରା ନେଇଗଲା ୪ ଜୀବନ

ବ୍ରହ୍ମପୁର: ହଜିଗଲାଣି ମାନବିକତା । ଦିନକୁ ଦିନ ମଣିଷ ବିବେକହୀନ ହୋଇଗଲାଣି । ଆଜିକାଲି ସାମାନ୍ୟ କଥାକୁ ନେଇ ବଚସା ଏତେ ମାତ୍ରାରେ ବଢିଯାଉଛି ଯେ, ସେଥିପାଇଁ ଅକାଳରେ ଚାଲିଯାଉଛି ଅମୂଲ୍ୟ ଜୀବନ । ସାମାନ୍ୟ କମେଣ୍ଟମରାରୁ ଚାଲିଗଲା ୪ ନିରିହ ଜୀବନ । ଏପରି ହୃଦୟ ବିଦାରକ ଓ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ପିତଳ ଛକରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ ଭାଇ ଓ ଜଣେ ପୁତୁରା ଥିବା ଜଣାଯାଇଛି । ମୃତକମାନେ ହେଲେ ପିତଳ ନରେନ୍ଦ୍ରପୁର ଅଂଚଳର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ , ପାଣ୍ଡୁରା ସ୍ୱାଇଁ ଓ ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ ସ୍ୱାଇଁ । ଏହି ଘଟଣାରେ ଅପରପକ୍ଷର ଜଣେ ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ ମଙ୍ଗୁଳୁ ସ୍ୱାଇଁଙ୍କ ପୁଅମାନେ ପିତଳ ଛକରେ ଏକ ଫାଷ୍ଟଫୁଡ୍ ଦୋକାନ ଖୋଲି ବେପାର କରନ୍ତି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ନିଜ ଦୋକାନ ବନ୍ଦ କରି ସେମାନେ ଘରକୁ ଫେରୁଥିଲେ । ରାସ୍ତାରେ ଦୁର୍ଘଟଣାଗସ୍ତ ହୋଇଥିବା ଜଣେ ମହିଳାଙ୍କୁ ସହାୟତା କରିବାକୁ ସେମାନେ ଅଟକି ଥିଲେ । ତେବେ ଏହି ସମୟରେ ୬ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ । ଯାହାକୁ ଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଗଣ୍ଡଗୋଳ ଧିରେ ଧିରେ ଉଗ୍ର ରୂପ ନେଇଥିଲା । ଏହାପରେ ଅପରଗୋଷ୍ଠୀର ଯୁବକମାନେ ଠେଙ୍ଗା ଓ ଲୁହା ରଡରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଶମ୍ଭୁ , ପାଣ୍ଡୁରା, ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ ଗୁରୁତର ଆହତ ହୋଇଥିଲେ ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ୪ ଜଣଙ୍କ ପ୍ରତି ଆକ୍ରମଣରେ ବିପକ୍ଷ ଗୋଷ୍ଠୀର ଜଣେ ଆହତ ହୋଇ ଏମକେସିଜିରେ ଚିକିସôିତ ହେଉଛନ୍ତି ।
ତେବେ ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ସଂପର୍କ ଥିଲା କି ନାହିଁ ସେ ଦିଗରେ ଏବେ ତଦନ୍ତ କରାଯାଉଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ ।୨ ଜଣଙ୍କୁ ଅଟକ ରଖି ପୋଲିସ୍ ଘଟଣାର ତଦନ୍ତ କରୁଛି । ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।
Powered by Froala Editor