କୃଷ୍ଣଚନ୍ଦ୍ର ପଢିଆରୀ ହତ୍ୟା ଘଟଣା:ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍
ପୁରୀ: ବହୁଚର୍ଚ୍ଚିତ କୃଷ୍ଣଚନ୍ଦ୍ର ଓରଫ କାଳିଆ ପଢିଆରୀ ହତ୍ୟା ଘଟଣାର ଫିଟୁଛି ଗୁମର। ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦକୁ ଥାନାରେ ଅଟକ ରଖିଛି ପୋଲିସ। ଏହି ମାମଲାରେ ପୋଲିସ ଏବେ ସୁଦ୍ଧା ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ୪ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ ଅଧିକ ପଚରାଉଚରା କରୁଛି । ଘଟଣା ପଛରେ ପୂର୍ବଶତ୍ରୁତା କିମ୍ବା ଜମିଜମା ବିବାଦ ସେନେଇ ପୋଲିସ ଛାନଭିନ୍ ଚଳାଇଛି ।
ଗତ ୨୦୧୨ ସେପ୍ଟେମ୍ବର ୨୨ ତାରିଖରେ ବରିଷ୍ଠ ସେବାୟତ ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣାର ପ୍ରତିଶୋଧ ନେଇଛନ୍ତି ତାଙ୍କ ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ। କାଳିଆ ପଢିଆରୀକୁ ହତ୍ୟା କରିବା ପାଇଁ ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ହତ୍ୟା ପୂର୍ବରୁ ଅଭିଯୁକ୍ତମାନେ ଦୁଇଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ଯେଉଁ ବନ୍ଧୁକରେ କାଳିଆକୁ ହତ୍ୟା କରାଯାଇଛି ତା ପାଇଁ ମଧ୍ୟ ୭୦ ହଜାର ଟଙ୍କା ଅଭିଯୁକ୍ତ ନେଇଥିଲେ। ଗତ ୧୬ ତାରିଖରେ ବାରବାଟୀ ଜାଗାରେ କାଳିଆ ପଢିଆରୀକୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଆଜି ଏନେଇ ପୋଲିସ ସାମ୍ବାଦିକ ସମ୍ମିଳନୀ କରିପାରେ ବୋଲି ସୂଚନା ମିଳିଛି।
ପ୍ରକାଶ ଥାଉକି, ଗତ ୧୬ ତାରିଖ ଦିନ କୃଷ୍ଣଚନ୍ଦ୍ର ପଢିଆରୀଙ୍କୁ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା । ବାଇକରେ କିଛି ଦୁର୍ବୃତ୍ତ ଆସି କୃଷ୍ଣଚନ୍ଦ୍ରଙ୍କୁ ଅତି ନିକଟରୁ ତିନି ରାଉଣ୍ଡ ଗୁଳି କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଥିଲା । ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏହି ହତ୍ୟା ମାମଲାରେ ପୋଲିସ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଏହିକ୍ରମରେ ରବିବାର ଦିନ ପୋଲିସ ୨ ଜଣଙ୍କୁ ଉଠାଇଥିବାର ସୂଚନା ମିଳିଥିଲା । ଅଟକ ଦୁଇ ଜଣ ସମ୍ପର୍କରେ ବାପ-ପୁଅ ବୋଲି ସୂଚନା ମିଳିଛି । ଉଭୟଙ୍କ ନାଁରେ ଏୟାରପୋର୍ଟ ଏବଂ ରେଲୱେ ଷ୍ଟେସନ୍ ସ୍ଥାନରେ ପୋଷ୍ଟର ଲଗାଇଥିଲା ପୋଲିସ । ଏହି ଦୁଇ ଜଣ ମୃତ ଗୁନ ସିଂହାରୀଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି ।
Powered by Froala Editor