ପୁଅ, ବୋହୂ, ୨ ନାତୁଣୀଙ୍କୁ ଜୀଅନ୍ତା ଜାଳିଦେଲା ନୃଶଂସ ବାପା
ସମ୍ପତ୍ତି ପାଇଁ ଜଣେ ବୟସ୍କ ବ୍ୟକ୍ତି ନିଦରେ ଶୋଇଥିବା ନିଜର ପୁଅ, ବୋହୂ ଓ ଦୁଇ ନାତୁଣୀଙ୍କୁ ଜୀଅନ୍ତା ଜାଳି ଦେଇଛି। ଘର ଭିତରର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ବାପାଙ୍କୁ କୁଣ୍ଢାଇ ଧରି ଦୁଇ ଝିଅ ନିଆଁରେ ପୋଡ଼ି ହୋଇ ଜୀବନ ହାରିଛନ୍ତି। କେରଳର ଇଡୁକ୍କିରେ ଏଭଳି ଘଟଣା ଘଟିଛି । ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ଏହି ଘଟଣାରେ ଅଭିଯୁକ୍ତ ୭୦ ବର୍ଷୀୟ ହମିଦକୁ ଗିରଫ କରାଯାଇଛି।
ଯୋଜନାବଦ୍ଧ ଭାବେ ହମିଦ ପୂରା ଘଟଣାକୁ କାର୍ଯ୍ୟକାରୀ କରିଛି। ସେ ଅପରାଧ ଘଟାଇବା ପାଇଁ ୫ ଟି ବୋତଲରେ ପେଟ୍ରୋଲ ଭର୍ତ୍ତି କରି ରଖିଥିଲା। ସେହିପରି ଘରେ ରହିଥିବା ୱାଟର ଟ୍ୟାଙ୍କରୁ ପାଣି ଶେଷ କରି ଦେଇଥିଲା।
ନିଆଁ ଲାଗିବା ପରେ ପଡ଼ୋଶୀ ସହଯୋଗୀ କରିବାକୁ ଆସିବେ ବୋଲି ସେ ଭଲ ଭାବେ ଜାଣି ଥିଲା। ତେଣୁ ସେ ନିକଟସ୍ଥ କୂଅରେ ଲାଗିଥିବା ଦଉଡ଼ି ଓ ବାଲ୍ଟିକୁ ମଧ୍ୟ ହଟାଇ ଦେଇଥିଲା। ନିଆଁକୁ ଯେମିତି କେହି ଲିଭାଇ ନ ପାରିବେ, ସେଥିପାଇଁ ହମିଦ ପୂରା ବ୍ୟବସ୍ଥା କରିଥିଲା।
ହମିଦ ପ୍ରଥମେ ଘରର ଝରକା ପଟେ ଏକାଧିକ ପେଟ୍ରୋଲ ଭର୍ତ୍ତି ବୋତଲ ଘର ଭିତରକୁ ଫୋପାଡ଼ି ଥିଲା। ଏହାପରେ ଘରର କବାଟକୁ ବାହାର ପଟୁ ଲକ୍ କରି ଏଥିରେ ନିଆଁ ଲଗାଇ ଦେଇଥିଲା। ଫଳରେ ଘର ଭିତରେ ଥିବା ୪ ସଦସ୍ୟ ଆଉ ବାହାରକୁ ବାହାରି ପାରି ନଥିଲେ।
ନିଆଁ ଲାଗିବା ପରେ ପରିବାରର ଜଣେ ସଦସ୍ୟ ଉଠି ପଡ଼ି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ନିଆଁ ପୂରା ଘରକୁ ଧ୍ୱଂସ କରି ଦେଇଥିଲା। ସେହିପରି ସମସ୍ତେ ଏଥିରେ ପୋଡ଼ି ହୋଇ ପ୍ରାଣ ହରାଇ ସାରିଥିଲେ। ହମିଦ ଘର ଭିତରକୁ ବୋତଲ ଫିଙ୍ଗିବା ବେଳର ଦୃଶ୍ୟ ଜଣେ ପଡ଼ୋଶୀ ଦେଖିଥିବା ପୁଲିସ୍କୁ କହିଛନ୍ତି।
Powered by Froala Editor