ନିଆରା ବାହାଘର, ଜେଲରେ କଏଦୀ ଓ ପୀଡ଼ିତାଙ୍କ ପଡ଼ିଲ। ହାତଗଣ୍ଠି
ଚୌଦ୍ୱାର : ସ୍ଥାନୀୟ ସର୍କଲ ଜେଲରେ ବୁଧବାର ଦିନ ଅନୁଷ୍ଠିତ ହୋଇଛି ଏକ ନିଆରା ବାହାଘର। ଜଣେ ବିଚାରାଧୀନ କଏଦୀ ଓ ପୀଡ଼ିତାଙ୍କର ହାତଗଣ୍ଠି ପଡ଼ିଛି । ଚୌଦ୍ୱାର ଜେଲ ପରିସରରେ ଆୟୋଜିତ ଏହି ବିବାହ ଉତ୍ସବରେ ଜେଲର ବିଚାରାଧୀନ କଏଦୀ କଟକ ସହର ବାଦାମବାଡ଼ି ଥାନା ଅଧିନ ଖାନନଗରର ଯୁବକ ତାପସ କୁମାର ବେହେରା ଓ କନ୍ୟା କଟକ ପି. ସରକାର ଲେନ୍ ସାହିର ପୀଡ଼ିତା ସୁନୀତା ନାୟକଙ୍କ ମଧ୍ୟରେ ଶୁଭ ବିବାହ ଅନୁଷ୍ଠିତ ହୋଇଛି । ହିନ୍ଦୁଧର୍ମ ମତେ ବୈଦିକ ରୀତି ଅନୁଯାୟୀ ବର ଓ କନ୍ୟାଙ୍କୁ ନୂତନ ବସ୍ତ୍ର ଓ ଅଳଙ୍କାରରେ ସଜାଇ ବେଦିକୁ ଅଣା ଯାଇଥିଲା। ପଣ୍ଡିତ ବିଶ୍ୱନାଥ ତ୍ରିପାଠୀ ଓ ପଣ୍ଡିତ ରାଜକିଶୋର ତ୍ରିପାଠୀଙ୍କ ବେଦପାଠ ଓ ମନ୍ତ୍ରଧ୍ୱନୀ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସମାଜସେବୀ ତଥା ଶିକ୍ଷବିତ୍ ଅମୀୟବାଳା ପରିଡ଼ା ଉପସ୍ଥିତ ରହି କନ୍ୟାଦାନ କାର୍ଯ୍ୟ ସମ୍ପନ୍ନ କରିଥିଲେ। ପରେ ପରେ ଏକ ବିବାହ ଘୋଷଣା ଚୁକ୍ତିପତ୍ରରେ ଉଭୟ ବର-କନ୍ୟା ସ୍ୱାକ୍ଷର କରିଥିଲେ। ବିବାହର ସ୍ମୃତି ନିଦର୍ଶନ ଭାବେ ନବଦମ୍ପତି ଜେଲ ପରିସରରେ ଏକ ଚାରାବୃକ୍ଷ ରୋପଣ କରିଥିଲେ।
ସୂଚନାଯୋଗ୍ୟଯେ ଅଭିଯୁକ୍ତ ତାପସ ଜେଲରେ ଥିବାବେଳେ ନିଜ କର୍ମପାଇଁ ଅନୁତାପ କରିବା ସହିତ ପୀଡ଼ିତାକୁ ଜୀବନସାଥୀ କରିବାପାଇଁ ଆଗ୍ରହ ପ୍ରକାଶ କରି ଜେଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ତାଙ୍କ ନିବେଦନକୁ ବିବେଚନା କରାଯାଇ ଉଭୟଙ୍କ ବିବାହ ସମ୍ପନ୍ନ କରିବା ପାଇଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ପୋକ୍ସ କୋଟ) ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାପସ ଓ ସୁନୀତାଙ୍କ ବିବାହରେ ଉଭୟଙ୍କ ପରିବାର ଅନନ୍ଦ ପ୍ରକାଶ କରିଛନ୍ତି ।
Powered by Froala Editor