ଛିତିଶଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା : ୫ ଜଣଙ୍କ ମୃତ୍ୟୁ, ୧୭ ଆହତ
ମଙ୍ଗଳବାର ଛିତିଶଗଡ଼ର ଗାରିଆବାନ୍ଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ସହ ଟ୍ରକ୍ ମୁହାମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୭ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପ୍ରରିବାରକୁ ପ୍ରତ୍ୟେକ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ପରିବାର ପ୍ରତି ପ୍ରତ୍ୟେକ ୫୦,୦୦୦ ଲେଖାଏଁ ଟଙ୍କା ଘୋଷଣା କରିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଗାରିଆବାନ୍ଦଠାରୁ ୮ କିମି ଦୂର ଜୋପା ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରାକ୍ଟରରେ ୨୫ରୁ ଅଧିକ ଲୋକ ବସିଥିଲେ । ମେନପୁର ଅଭିମୁଖେ ଯାଇଥିବା ଜାତୀୟ ରାଜପଥରେ ଟ୍ରକ୍ ଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସମସ୍ତେ ମାଜରକଟାର ବୋଲି ଜଣାପଡ଼ିଛି । ଗୁରୁତରଙ୍କ ମଧ୍ୟରେ ୧୪ ଜଣ ମହିଳା ଅଛନ୍ତି। ସମସ୍ତଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ଖବର ପାଇ ସ୍ଥାନୀୟ ଏସପି ଜେଆର ଠାକୁର, ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।
Powered by Froala Editor