ନାବାଳକ ନିଖୋଜ, ବଳି ସନ୍ଦେହରେ ଠିକା ସଂସ୍ଥାରେ ଭଙ୍ଗାରୁଜା କଲେ ଗ୍ରାମବାସୀ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ବିଦ୍ୟାଧରପୁର ନିକଟ ଖଣି ବଜାର ସାହିରେ ଜଣେ ୭ ବର୍ଷର ନିଖୋଜ ନାବାଳକକୁ ବଳି ଦିଆଯାଇଥିବା ସନ୍ଦେହ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ଠିକା ସଂସ୍ଥାର ମେସିନ୍ରେ ନିଆଁ ଲଗାଇ ଦେଇଛନ୍ତି ଗ୍ରାମବାସୀ। ନିଖୋଜ ନାବାଳକ ହେଲେ ବିଦ୍ୟାଧରପୁର ଖଣି ବଜାର ସାହିର ବିଜୟ ପୁର୍ତିଙ୍କ ୭ବର୍ଷର ନାବାଳକ ପୁଅ ଦିବାକର ପୁର୍ତି ।
ସୂଚନାନୁଯାୟୀ, ଗତ ବୁଧବାର ସନ୍ଧ୍ୟାରୁ ଦିବାକର ନିଖୋଜ ଅଛି। ଦିବାକର ପରିବାର ଲୋକ ବହୁ ଖୋଜାଖୋଜି କରିବା ସତ୍ତ୍ଵେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଏକ ଇଂରାଜୀ ମିଡିୟମ୍ ସ୍କୁଲ୍ରୁ ସଂପୃକ୍ତ ନାବାଳକର ପିନ୍ଧା ସାର୍ଟ ମିଳିଥିଲା। ହେଲେ ନାବାଳକଙ୍କ କୌଣସି ସନ୍ଧାନ ମିଳି ନଥିଲା। ସେହି ସ୍ଥାନରେ ଏକ ଘରୋଇ କମ୍ପାନୀ କେନାଲ କାମ କରୁଥିବାରୁ ନାବାଳକଙ୍କୁ କେହି ବଳି ଦେଇଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ। ଏହି ଖବର ପ୍ରଚାରିତ ହେବା ପରେ ଗତ ରାତିରେ ଶତାଧିକ ଗ୍ରାମବାସୀ ସଂପୃକ୍ତ ସ୍କୁଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାପରେ ସମ୍ପୃକ୍ତ କମ୍ପାନୀ ପରିସରକୁ ଯାଇ ବ୍ୟାପକ ଭଙ୍ଗାରୁଜା କରିବା ସହ ମେସିନରେ ନିଆଁ ଲଗାଇ ଦେଇଛନ୍ତି।
ଏନେଇ ଗତରାତିରେ ନିଖୋଜ ନାବାଳକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଏହାପରେ ଆଜି ଟିମ୍ ପହଞ୍ଚି ତଦନ୍ତ କରୁଛି। ତେବେ ବଳି ସନ୍ଦେହକୁ ଥାନାଧିକାରୀ ଖଣ୍ଡନ କରିବା ସହ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ରେଡ କରାଯାଉଥିବା କହିଛନ୍ତି। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ସ୍ତାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
Powered by Froala Editor