ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଆଉ ନାହାନ୍ତି, ସେ ଥିଲେ ପ୍ରଥମ ଆଦିବାସୀ ନେତା ଯିଏକି ୨ ଥର ହୋଇଥିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହେମାନନ୍ଦ ବିଶ୍ୱାଳଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ସୁନୀତା ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏବର ଝାରସୁଗୁଡ଼ା ଜିଲ୍ଲାର ବଣଜଙ୍ଗଲ ଘେରା ଠାକୁରପଡ଼ାରେ ହେମାନନ୍ଦ ବିଶ୍ବାଳଙ୍କ ଜନ୍ମ ୧ ଡିସେମ୍ବର ୧୯୩୯ରେ ହୋଇଥିଲା । ୭୦ଦଶକରେ ପଂଚାୟତ ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ବିଶ୍ୱାଳ ୧୯୭୪ ମସିହାରେ ପ୍ରଥମଥର ବିଧାୟକ ହୋଇଥିଲେ । ଶ୍ରୀ ବିଶ୍ୱାଳ ରାଜ୍ୟର ଏକମାତ୍ର ଆଦିବାସୀ ନେତା ଯିଏ ୨ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୭ ଡିସେମ୍ବର ୧୯୮୯ରୁ ୫ ମାର୍ଚ୍ଚ ୧୯୯୦ ଏବଂ ୬ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନବୀନ ପଟ୍ଟନାୟକ ତୁଲାଉଛନ୍ତି । ୨୦୦୯ରେ ସେ ସୁନ୍ଦରଗଡ଼ର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
Powered by Froala Editor