ପଂଚାୟତ ଭୋଟ ଗଣତି କେମିତି ହେବ ଜାଣନ୍ତୁ ?
ଭୁବନେଶ୍ୱର : ପଂଚାୟତ ନିର୍ବାଚନର ସମସ୍ତ ପାଂଚୋଟି ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଫେବୃଆରୀ ୧୬ରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ, ୨୦ରେ ତୃତୀୟ ପର୍ଯ୍ୟାୟ, ୨୨ରେ ଚତୁର୍ଥ ପର୍ଯ୍ୟାୟ ଓ ୨୪ରେ ଅନ୍ତିମ ପର୍ଯ୍ୟାୟ ମତଦାନ ହୋଇଥିଲା । ଏବେ ଫଳ ଆସିବାର ସମୟ ଆସିଯାଇଛି । ଆସନ୍ତାକାଲି ଅର୍ଥାତ ୨୬ରୁ ପଂଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ । ୨୬ରୁ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଭୋଟ ଗଣନା କରାଯିବା ପାଇଁ ଦିନ ଧାର୍ଯ୍ୟ ହୋଇଛି । ଫଳରେ ପ୍ରାର୍ଥୀ ଓ କର୍ମୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି ।
ଏବେ ପ୍ରଶ୍ନ ଉଠୁଛି କେମିତି ହେବ ପଂଚାୟତ ଭୋଟ ଗଣତି ? ପ୍ରଥମ ଥର ପାଇଁ ନିର୍ବାଚନର ଦୀର୍ଘଦିନ ପରେ ଭୋଟ ଗଣତି ହେବାକୁ ଯାଉଥିବାରୁ ନୂଆ ଫର୍ମାଟ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏନେଇ ଜଣେ ପ୍ରଶାସନିକ ଅଧିକାରୀଙ୍କ କହିବା କଥା ହେଉଛି, ଜିଲ୍ଲା ପରିଷଦ ଜୋନର ନମ୍ବର ଅନୁଯାୟୀ ଗଣତି କରାଯିବ । ପ୍ରତି ବ୍ଲକରେ ହାରାହାରି ୩ଟି ଜିଲ୍ଲା ପରିଷଦ ଜୋନ ରହିଥିବାବେଳେ ଗୋଟିଏ ଦିନରେ ଗୋଟିଏ ଜୋନର ଭୋଟ ଗଣତି କରାଯିବ । ଯେଉଁ ଜୋନର ସିରିଏଲ ନମ୍ବର ଆଗ ଥିବ ସେହି ଜୋନ ପ୍ରଥମେ ଗଣତି କରାଯିବ । ସେହି ଜୋନର ସମସ୍ତ ପଂଚାୟତର ସରଂପଚ, ସମିତିସଭ୍ୟ ଓ ୱାଡର଼୍ମେମ୍ବର ପାଇଁ ଭୋଟ ଗଣତି କରାଯିବ ବୋଲି ଜଣାପଡ଼ିଛି । ତେବେ କେଉଁ ଜୋନର ଗଣତି ବେଳେ କେତୋଟି ଟେବୁଲ ରହିବ ତାହା ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସେନେଇ ନିଷ୍ପତି ନେବେ । ଯଦି ଯେତିକି ପଂଚାୟତ ଥିବ ସେତିକି ଟେବୁଲ ହେବ ତେବେ ସବୁ ପଂଚାୟତରେ ଗଣତି ଏକ ସଙ୍ଗେ ଆରମ୍ଭ ହୋଇପାରିବ । କିନ୍ତୁ ଯଦି ଟେବୁଲ ସଂଖ୍ୟା କମେ ତେବେ ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ଯେଉଁ ପଂଚାୟତର ପ୍ରଥମ ଅକ୍ଷର ଆସିବ ସେହି ସବୁ ପଂଚାୟତର ଗଣତି ପ୍ରଥମେ କରାଯିବ । ପ୍ରତି ୱାଡର଼୍ର ବାଲାଟ ବକ୍ସ ଆସିବା ପରେ ପ୍ରଥମେ ୱାଡର଼୍ମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଭୋଟଗୁଡ଼ିକୁ ଅଲଗା କରି ଦିଆଯିବ । ପରେ କେଉଁ ପ୍ରାର୍ଥୀ କେତେ ଭୋଟ ପାଇଛନ୍ତି ତାହା ଗଣନା କରାଯିବ ।
Powered by Froala Editor