ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ମାଡ଼: ନାମ ନେଲେ, ୪୨ ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ମାଡ଼ । ଜୋସରେ ମାଡ଼ ମାରି ଏବେ ନାମ ନେଉଛନ୍ତି ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗିରଫଦାରୀ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ୪୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । ଗତକାଲି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।
ପ୍ରକାଶଯେ ଗତକାଲି ବାଚ୍ଛଳ ପଞ୍ଚାୟତର ୪ ଓ ୨ ନମ୍ବର ବୁଥରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଭୋଟ୍ ବାକ୍ସ ଛଡ଼ାଇ ନେବା ବେଳେ କିଛି ସାମ୍ବାଦିକ ଚିତ୍ର ଉତ୍ତୋଳନ କରୁଥିବାରୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ ।
ସାମ୍ବାଦିକମାନଙ୍କୁ ବାନ୍ଧି ମାଡ଼ ମାରିବା ସହିତ ଗାଡ଼ିକୁ ଟେକା ପଥର ଫିଙ୍ଗିଥିଲେ ଅଭିଯୁକ୍ତ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଆହତ ସାମ୍ବାଦିକମାନଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି । ଏହି ଆକ୍ରମଣ ଘଟଣାକୁ ସବୁଠି ନିନ୍ଦା କରାଯାଉଛି । ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜି ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହୋଇଥିଲେ ସାମ୍ବାଦିକଙ୍କ ପ୍ରତିନିଧି ଦଳ ।
Powered by Froala Editor