ଏଣିକି ସିଧାସଳଖ ଜଗାକୁ ଦର୍ଶନ କରିପାରିବେ ଭକ୍ତ
ପୁରୀ: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଛିଡା ହୋଇଥିବା କରୋନା ରୂପକ ପ୍ରାଚୀରଭାଙ୍ଗି ଯାଇଛି । ଶ୍ରୀମନ୍ଦିରରେ ହଟିଛି କଟକଣା । ଏଣିକି ସିଧାସଳଖ ଭକ୍ତମାନେ ଜଗାକୁ ଦର୍ଶନ କରିପାରିବେ । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର । ତା’ ସହ ଶ୍ରଦ୍ଧାଳୁଙ୍କୁ କିଓସ୍କରେ ଧାଡ଼ିରେ ମଧ୍ୟ ଛିଡ଼ା ହେବାକୁ ପଡିବନି । କିଅସ୍କ ହଟିବା ପରେ ଶ୍ରଦ୍ଧାଳୁଙ୍କୁ ଆଉ ଲମ୍ବା ସମୟ ପ୍ରତୀକ୍ଷା କରିବାକୁ ପଡୁନାହିଁ । କେବଳ କୋରୋନା ଗାଇଡଲାଇନ ମାନି ଶ୍ରୀଜିଉ ମାନଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତ ମାନେ ମନ୍ଦିରକୁ ଯାଇ ଚତୂର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ।
ନୀତି ସବକମିଟି ଓ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପାଇଁ ଏହି ନୂଆ ମାର୍ଗଦର୍ଶିକା ଜାରି ହୋଇଛି । ଶ୍ରୀମନ୍ଦିରରେ ଗତକାଲିଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ପୂର୍ବ ଭଳି ଭକ୍ତମାନେ ପୂର୍ବ ଦ୍ୱାରରେ ପ୍ରବେଶ କରି ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ବୟସ୍କ ଏବଂ ଭିନ୍ନକ୍ଷମ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଧାଡି ଦର୍ଶନର ବ୍ୟବସ୍ଥା ଥିବା ବେଳେ ବ୍ୟାରିକେଡ ଦେଇ ମନ୍ଦିରକୁ ପ୍ରବେଶ କରୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।
ଗତ ୧୪ ତାରିଖରେ ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକରେ ବିନା କୋଭିଡ ଟିକା ପ୍ରମାଣପତ୍ରରେ ଦର୍ଶନ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଥିଲା । ସପ୍ତାହ ରେ ୬ ଦିନ ଜଗା ଦର୍ଶନର ସୁବିଧା ସୁଯୋଗ ପାଇପାରିବେ ଶ୍ରଦ୍ଧାଳୁ । ରବିବାର ଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରିବା ଉଦେ୍ଧଶ୍ୟରେ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ତେବେ କୋଭିଡ୍ ସଂକ୍ରମଣ ହାର ସମ୍ପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । କଟକଣା ହଟିବା ଯୋଗୁଁ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
Powered by Froala Editor