ବିଡିଓଙ୍କୁ ଆକ୍ରମଣ, ମତଦାନ ବନ୍ଦ
ଯାଜପୁର: ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ୟ୍ୟାୟ ମତଦାନ । ଏନେଇ ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତରେ ମତଦାନ କରୁଛନ୍ତି ଭୋଟର । ତେବେ ୮, ୯, ୧୦ ଓ ୧୧ନଂ ବୁଥରେ ଭୋଟଗ୍ରହଣ ଚାଲିଥିବା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ଗଣ୍ଡଗୋଳ କରିବା ସହ ବୁଥ ଜବରଦଖଲ କରିଥିବା ଅଭିଯୋଗ ରହିଛି । କୋରେଇ ବିଡିଓ ରଞ୍ଜନ ପରିଡାଙ୍କ ଉପରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି। ବୁଥ ସମ୍ମୁଖରେ ଉତ୍ତେଜନା ହେବା ସହ ମତଦାନ ବନ୍ଦ ରହିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ତହସିଲଦାର ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ୨ଟି ପର୍ଯ୍ୟାୟ ମତଦାନ ସରିଥିବାବେଳେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ତେବେ ଦୁଇଟି ପର୍ଯ୍ୟାୟ ମତଦାନରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବାବେଳେ ଅନେକ ସ୍ଥାନରେ ଲୋକେ ଭୋଟ କରିଥିବା ଦେଖିବାକୁ ମିଳିଥିଲା ।
ତେବେ ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି । ଆଜି ବି ଭୋଟ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଛଳ ପଂଚାୟତ ୪ ଓ ୬ନମ୍ବର ବୁଥରୁ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ନେଇଛନ୍ତି । ୪ଜଣ ଦୁର୍ବୃତ୍ତ ୪ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଥିବାବେଳେ ୬ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇ ଦୁର୍ବୃତ୍ତମାନେ ପୋଖରୀରେ ପିଙ୍ଗି ଦେଇଛନ୍ତି । ଏହାପେରେ ବୁଥରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତେଜନ ଯୋଗୁଁ ବୁଥରେ ମତଦାନ ବନ୍ଦ ରହିଛି ।
ସକାଳ ୯ଟା ସୁଦ୍ଧା ୧୫% ଭୋଟ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଆଜି ମୋଟ ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ପଡୁଛି ଭୋଟ୍ । ୬୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫୬ ଲକ୍ଷ ୫୩ ହଜାର ୪୦୫ଭୋଟର । ୧୮ ହଜାର ୪୯୫ ଓ୍ୱାର୍ଡରେ ୨ ହଜାର ୭୭୩ ସମ୍ବେଦନଶୀଳ ବୁଥ୍ ରହିଛି । ୧୭୧ଟି ଜିଲ୍ଲା ପରିଷଦ ଜୋନରେ ହେଉଛି ନିର୍ବାଚନ । ୧୩୮୨ ଲେଖାଏ ସରପଞ୍ଚ, ସମିତି ସଭ୍ୟ ଏବଂ ୧୮ ହଜାର ୪୯୫ଟି ଓ୍ୱାର୍ଡରେ ହେଉଛି ଭୋଟିଂ । ମହିଳାଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ୨ ହଜାର ୭୭୩ଟି ସମ୍ବେଦନ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହିଂସାକୁ ଦୃଷ୍ଟିରେ ରଖି ୩୫ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।
Powered by Froala Editor