ରିମାଣ୍ଡରେ ଯିବେ ରସିକିଆ ଡାକ୍ତର

ଭୁବନେଶ୍ୱର: ରସିକିଆ ଡାକ୍ତରଙ୍କ ଖୋଲୁଛି ଗୁମର। ଦିନ ଯେତେ ବଢୁଛି ନକଲି ଡାକ୍ତରଙ୍କ ମାୟାଜାଲ ସମସ୍ତଙ୍କ ସାମ୍ନାକୁ ଆସୁଛି। ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ବାବଦରେ ପୁଲିସ ହାତରେ ମଧ୍ୟ ଗୋଟିଏ ପରେ ଗୋଟିଏ ଚଂଚଲ୍ୟକର ତଥ୍ୟ ଲାଗୁଛି । ଠକେଇ ଘଟଣା ଓ ପରିମାଣ ବି ବଢି ଚାଲିଛି । ଏସବୁର ଗୁମର ଖୋଲିବା ପାଇଁ ପୁଲିସ ରସିକିଆ ରମେଶକୁ ରିମାଣ୍ଡରେ ଆଣି ଖୋଳତାଡ କରିବ ।
ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଆଣି ୩୦ ବର୍ଷର ଇତିହାସ ଖୋଜିବ ପୁଲିସ । ସେହିପରି ଅଧିକ ଖୋଳତାଡ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ । ସେଠାରେ ଯେଉଁ ମହିଳାମାନଙ୍କୁ ଛଳନା କରି ରମେଶ ବିବାହ କରିଛି, ସେମାନେ ଯଦି ଚାହିଁବେ ତାହେଲେ ପୁଲିସ ଅଭିଯୋଗ ଗ୍ରହଣ କରିବ । ଏପରିକି ସ୍ୱତନ୍ତ୍ର ଟିମରେ ଥିବା କାଉନସେଲର ସେମାନଙ୍କୁ କାଉନସେଲିଂ କରିବେ ବୋଲି ଜଣାପଡିଛି ।
ଅନ୍ୟପକ୍ଷରେ ବିବାହ ପାଇଁ ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆହୁରି ୧୦ରୁ ଅଧିକ ମହିଳା ବିବାହ ପାଇଁ ଲାଇନ୍ରେ ଥିବା ପୁଲିସ ରମେଶଙ୍କ ମୋବାଇଲ ଫୋନ୍ ଚାଟିଂ ଓ କଲ୍ ଡିଟେଲ୍ସରୁ ଜାଣିବାକୁ ପାଇଛି । ସମ୍ପୃକ୍ତ ମହିଳାଙ୍କ ସହ ଆଜି ତଦନ୍ତକାରୀ ଟିମ୍ ଯୋଗାଯୋଗ କରିଛି । ସେମାନେ ଦେଶର ବିଭିନ୍ନ ସ୍ଥାନର ହୋଇଥିବା ଜଣାପଡ଼ିଛି । ରମେଶ ବିବାହ ପ୍ରତିଶ୍ରୁତି ଦେଇଥିବା ମହିଳାଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ପୁଲିସ ତରଫରୁ ସୂଚନା ମିଳିଛି ।
ରମେଶଙ୍କ ମୋବାଇଲ ଫୋନ୍ ହ୍ୱାଟସଆପ୍ ଚାଟିଂ, କଲ୍ ଡିଟେଲ୍ସ ରେକର୍ଡ, ଏସ୍ଏମ୍ଏସ୍କୁ ଆଧାର କରି ୧୨୦ରୁ ଅଧିକ ମହିଳା ଓ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଛି । ରିମାଣ୍ଡ ସମୟରେ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ଗୁମର ଖୋଲିବା ସହ ଠକେଇର ଶିକାର ମହିଳା ଓ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବ ବୋଲି ସୂଚନା ମିଳିଛି ।
Powered by Froala Editor