୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର:ପ୍ରଥମ ପର୍ୟ୍ୟାୟରେ ହୋଇଥିବା ମତଦାନରେ ୪ ଜିଲ୍ଲାର ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ବୁଥ୍ ରିଗିଂ ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।ତେବେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ନେଇ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।
ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ହୋଇଛି । ହେଲେ ଆଗକୁ ଏହି ସଂଖ୍ୟା ବଢି ମଧ୍ୟ ପାରେ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ବୁଧବାର ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ସରିବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।ସେ କହିଛନ୍ତି ମୋଟ ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ନିର୍ବାଚନ ହୋଇଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ଡୁଣ୍ଡାମେଲା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୧୧ରେ ବିଶେଷ କାରଣରୁ ନିର୍ବାଚନ ହୋଇନାହି । ଏହା ସହିତ ଢେଙ୍କାନାଳର ୩ଟି ବୁଥ୍, ଯାଜପୁରର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରିବେ ।
ସେପଟେ ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଥିବାରୁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଂଚି ସାରିଛନ୍ତି । ଦ୍ୱିତୀୟ ପର୍ୟ୍ୟାୟରେ ୨୦ ହଜାର ୪୩୬ ବୁଥ୍ରେ ହେବ ନିର୍ବାଚନ । ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି ।
Powered by Froala Editor