ଡ.ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ପରଲୋକ, ସାହିତ୍ୟ କ୍ଷେତ୍ରରେ ଥିଲା ଅନନ୍ୟ ଅବଦାନ

ଓଡ଼ିଶାର ଖ୍ୟାତନାମା ସାହିତ୍ୟିକ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁରେ ରାଜ୍ୟର ସାହିତ୍ୟ ସମାଜ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥତା ହେତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ରାଜ୍ୟର ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା ପରିସରରେ ଶୋକର ଛାୟା ଖେଳିଯାଇଛି।
ଡ଼. ହରପ୍ରସାଦ ପରିଛା ପଟ୍ଟନାୟକ ଏକାଧାରରେ ଜଣେ ପ୍ରବୀଣ କବି, ଅନୁବାଦକ, ଅଧ୍ୟାପକ, ପ୍ରଶାସକ ତଥା ସମ୍ବାଦପତ୍ର ସଂପାଦକ। ୧୯୫୩ ମସିହାରେ ଜନ୍ମିତ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ୧୯୭୫ ମସିହାରେ ଅଧ୍ୟାପନା ବୃତ୍ତିରେ ଯୋଗଦେଇ ଓଡ଼ିଶାର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ଇଂରାଜୀ ବିଭାଗରେ ଶିକ୍ଷାଦାନ କରିଥିଲେ । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ତା’ଙ୍କର ପ୍ରାୟ ୨୦ ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ସେ ‘ଓଡିଶା ସାହିତ୍ୟ ଏକାଡେମୀ’ର ସଂପାଦକ ତଥା ଓଡିଶା ସରକାରଙ୍କ ‘ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା’ର ନିର୍ଦ୍ଦେଶକ ପଦରେ ମଧ୍ୟ ଅବସ୍ଥାପିତ ଥିଲେ ।
୨୦୧୨ ମସିହାରେ ସେ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ ଏବଂ ୨୦୧୮ ମସିହାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ତାଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ’ରେ ଭୂଷିତ କରାଯାଇଥିଲା । ତାଙ୍କର ସାରସ୍ବତ ଅବଦାନ ଲାଗି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ ଓ ଗଙ୍ଗାଧର ମେହେର କବିତା ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଛି।
Powered by Froala Editor