କୋଭିଡ ଯୋଦ୍ଧାଙ୍କ ମୃତୁ୍ୟ ହେଲେ ମିଳିବ ୫୦ ଲକ୍ଷ
ଭୁବନେଶ୍ବର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆକ୍ରାନ୍ତଙ୍କ ସହ ମୃତୁ୍ୟ ସଂଖ୍ୟ ବଢିଚାଲିଛି । ତେବେ କରୋନା ମହାମାରୀରେ ଯେଉଁ ଯୋଦ୍ଧା ମୃତ୍ୟୁବରଣ କରିବେ ସେମାନଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ନିଶ୍ଚିତ ଭାବେ ଆର୍ଥିକ ସହାୟତା ସରକାର ଯୋଗାଇ ଦେବେ। କୌଣସି ପରିପ୍ରେକ୍ଷୀରେ କରୋନା ଯୋଦ୍ଧା ଯେଭଳି ନିରୁତ୍ସାହିତ ନହୁଅନ୍ତି ସେନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦର୍ଶାଇଛନ୍ତି ଯେ କରୋନା ମହାମାରୀକୁ ନେଇ ୨୦୨୦ ଜୁଲାଇରେ ଯେଉଁ ପଦେକ୍ଷପ ସରକାର ଗ୍ରହଣ କରିଥିଲେ ତାହା ହିଁ ପାଳନ କରାଯିବ। କରୋନା ଭୂତାଣୁ କବଳରେ ପଡି ଯେଉଁ ଯୋଦ୍ଧାଙ୍କ ମୃତ୍ୟୁ ହେବ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯେଉଁ ଡାକ୍ତର, ସେବିକା ଓ ଅନ୍ୟାନ୍ୟ କର୍ମଚାରୀମାନେ ସମ୍ମୁଖ ଯୁଦ୍ଧରେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଗ୍ରହଣ କରାଯିବ। ତେବେ କେତେକ କ୍ଷେତ୍ରରେ ଭାରତ ସରକାର ସହାୟତା ଦେବାରେ ଟାଳଟୂଳନୀତି ଅବଲମ୍ବନ କରୁଛନ୍ତି। ଯେଉଁମାନେ ଭାରତ ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁ ନାହାନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ମିଳିିବ। ଏହାସହିତ କରୋନା ଯୋଦ୍ଧାଙ୍କ ତଥ୍ୟ ପ୍ରସ୍ତୁତ କଲାବେଳେ ସରକାରଙ୍କ ସଂଶୋଧିତ ମାର୍ଗଦର୍ଶିକା ଏବଂ ସବୁଦିଗକୁ ଦୃଷ୍ଟିରେ ରଖି ତନଖି କରି ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।
Powered by Froala Editor