ଦଇତାପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ
ପୁରୀ: ଚଳିତ ମାସ ୧୨ ତାରିଖରେ ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୨୯ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ମିଳିଛି। ଗତକାଲି ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିଯୋଗର ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷଧ୍ୟକ୍ଷ ଏବଂ କମିଟି ମେମ୍ବର ଭାବେ ନିର୍ବାଚିତ ହେବେ ।
ତେବେ ଆସନ୍ତା ୮ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୮ତାରିଖ ସନ୍ଧ୍ୟା ୫ଟା ପରେ ନିର୍ବାଚନ ନିମନ୍ତେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଆସନ୍ତା ୧୨ ତାରିଖ ଦିନ ମତଦାନ କରାଯିବ । ଦଇତାପତି ନିଯୋଗର ସଦସ୍ୟମାନେ ସକାଳ ୯ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ କରିପାରିବେ । ସେଦିନ ଅପରାହ୍ନ ୪ଟାରୁ ଭୋଟ ଗଣତି ହେବ । ପ୍ରାର୍ଥୀ ମାନଙ୍କ ମଧ୍ୟରେ ସର୍ବାଧିକ ଭୋଟ ପାଇଥିବା ୧୫ଜଣ ପ୍ରାର୍ଥୀଙ୍କ ନାମ ପ୍ରଦାନ କରାଯିବ । ଯେଉଁମାନଙ୍କ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ ଏବଂ କୋଷଧ୍ୟକ୍ଷ ନିମନ୍ତେ ୧୪ ତାରିଖରେ ନିର୍ବାଚନ ହେବ । ସେମାନଙ୍କ ମଧ୍ୟରୁ ୫ଜଣ ନିଯୋଗର ବିଭିନ୍ନ ପଦବୀ ପାଇଁ ନିର୍ବାଚିତ ହେବେ । ଅନ୍ୟ ୧୦ଜଣ ନିର୍ବାଚିତ ସଦସ୍ୟ ନିଯୋଗର କମିଟି ମେମ୍ବର ଭାବେ ଦାୟିତ୍ୱ ତୁଲାଇବେ ।
Powered by Froala Editor